ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ସାକ୍ଷାତ

ସାଲେପୁର : ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ସାଲେପୁର କଂଗ୍ରେସ ନେତା ଆକୁ୍ୟବ୍ ଖାଁ ରାଜ୍ୟପାଳଙ୍କୁ ଭେଟିବା ସହ ଏହି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟାଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସାଲେପୁର ଅଞ୍ଚଳ ଏକ କୃଷିବହୁଳ ଅଞ୍ଚଳ ହୋଇଥିବାବେଳେ କୃଷିର ଉନ୍ନତି ପାଇଁ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହି ଅଞ୍ଚଳର ଲୋକମାନେ କୃଷି ପ୍ରତି ଦିନକୁ ଦିନ ମୁହଁ ଫେରାଇବାକୁ ଆରମ୍ଭ କଲେଣି । ପନିପରିବା ଜାତୀୟ ସଂରକ୍ଷଣ ରଖିବାପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର ନଥିବାବେଳେ ଚାଷ ଜମିକୁ ଜଳସେଚନ ପାଇଁ କାଡ଼ା ନିର୍ମାଣ ହୋଇଥିଲେ ମଧ୍ୟ ତାହାର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଅଧିକାଂଶ ସ୍ଥାନରେ କାଡ଼ା କେନାଲ ଗୁଡିକ ପୋତି ହୋଇଥିଲେ ମଧ୍ୟ ତାହାକୁ ପୁନରୁଦ୍ଧାର କରାଯାଉନାହିଁ । ସେହିପରି ରାସ୍ତାଘାଟର ଉନ୍ନତିକରଣ ହେଉନାହିଁ । ବିଶେଷ କରି ଟାଙ୍ଗୀ ଅଞ୍ଚଳରେ ଆଦିବାସୀମାନଙ୍କ ଜମିରେ ଓସିଏଲ୍ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା । ଉକ୍ତ ସମୟରେ ଆଦିବାସୀମାନଙ୍କୁ ପୂର୍ଣ୍ଣ ଥଇଥାନ କରାଯିବାପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଜମିର ପଟ୍ଟା ସେମାନଙ୍କୁ ଅଦ୍ୟାବଧି ପ୍ରଦାନ କରାଯାଇନଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚôତ ହେଉଛନ୍ତି । ପିଇବା ପାଣିର ସୁବିଧା ନାହିଁ, ଭଲ ରାସ୍ତା ନାହିଁ, ଆଦିବାସୀ ସଂପ୍ରଦାୟର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ଶ୍ରୀ ଖାଁ ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।