ମନୋଜ ଆହୁଜା ହେବେ ମୁଖ୍ୟ ସଚିବ !

Manoj Ahuja

ମନୋଜ ଆହୁଜା ହେବେ ମୁଖ୍ୟ ସଚିବ !

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ଓଡ଼ିଶା ଫେରିବେ  । ଏବେ ସେ କେନ୍ଦ୍ରରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଅଛନ୍ତି  । ଓଡ଼ିଶା ସରକାରଙ୍କ ଅନୁରୋଧରେ ତାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ନେବାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି  । ଫଳରେ ଆହୁଜାଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି  । ସେ ମୁଖ୍ୟସଚିବ ହେବେନା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ତାହାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଜୋର ଧରିଛି  ।

ଚଳିତ ମାସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି  । ୨୦୨୩ ଫେବୃଆରୀ ୨୬ରେ ସେ ମୁଖ୍ୟ ଶାସନ ସଚିବ ହୋଇଥିଲେ  । ତେବେ ୨୦୨୩ ଡିସେମ୍ବର ୩୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା  । କିନ୍ତୁ ଜଣେ ଦକ୍ଷ ଅଫିସର ହେବା ସହ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ତାଙ୍କର କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା  । ଏହାକୁ ଅନୁଶୀଳନ କଲେ ଜୁନ୍‌ ୩୦ରେ ତାଙ୍କର କାର୍ଯ୍ୟ ଅବଧି ପୂରଣ ହେବ  । ତେଣୁ ପରବର୍ତ୍ତୀ ମୁଖ୍ୟ ସଚିବ ପଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା  । ଅନେକ ଆଇଏଏସଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଥିଲା  । ତେବେ ପ୍ରଦୀପଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ରକୁ ପତ୍ର ଲେଖିଥିବା ଜାଣିବାକୁ ମିଳିଛି  । ଯଦି ସେଭଳି ହୁଏ ତେବେ ଆହୁଜାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କରାଯାଇପାରେ  । କେନ୍ଦ୍ର ସରକାରରେ କାମ କରିଥିବାରୁ ଦିଲ୍ଲୀରେ ବି ତାଙ୍କର ଭଲ ଭାବମୂର୍ତ୍ତି ରହିଛି  । ଫଳରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଲାଭବାନ ହୋଇପାରିବ  ।

୧୯୯୦ ବ୍ୟାଚ ଆଇଏଏସ ମନୋଜ ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି  । ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ସମାପ୍ତ କରି ଓଡ଼ିଶା ଫେରାଇଦେବାକୁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ  । ଜଣେ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି  । ଆସନ୍ତା ଡିସେମ୍ବରରେ ସେ ଚାକିରୀରୁ ଅବସର ନେବେ  ।