ମୋହନଙ୍କ ୧୦୦ ଦିନର ରିପୋର୍ଟ କାର୍ଡ

Mohan Charan Majhi

ମୋହନଙ୍କ ୧୦୦ ଦିନର ରିପୋର୍ଟ କାର୍ଡ
୧୦୦ ଦିନର ସଂକଳ୍ପ, ୧୦୦ ଦିନର ଦିନରାତି ପରିଶ୍ରମ, ପୂରଣ ହୋଇଥିବା ସ୍ୱପ୍ନ, ସଂକଳ୍ପ ଓ ପ୍ରତିଶ୍ରୁତିକୁ କାନ୍ଧରେ ଧରି ମୋହନ ଚରଣ ମାଝୀ ୨୦୩୬ରେ ଓଡ଼ିଶାକୁ ବିକାଶ କରିବାର ନୀଳନକ୍ସା  ପ୍ରସ୍ତୁତ କରିଛନ୍ତି  । ପୁରୀ ଠାରେ ସେ ନିଜ ସରକାରଙ୍କ ସଫଳତାର କଥା କହି ସାଢେ଼ ୪ କୋଟି ଓଡ଼ିଆଙ୍କ ହୃଦୟ ଜିଣିପାରିଛନ୍ତି  । ପ୍ରତି କ୍ଷେତ୍ରରେ ଏକ ଅଭିନବ ପରିବର୍ତ୍ତନ ପରିଲକ୍ଷିତ ହେଉଛି  । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶାକୁ ବିକାଶର ପ୍ରଥମ ବଗି ଭାବେ ଗଢ଼ି ତୋଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱପ୍ନ ଦେଖିଛନ୍ତି  । ଆସନ୍ତୁ ଜାଣିବା ନୂଆ ସରକାର ଯୋଜନା, ବିକାଶରେ କି ନୂଆ ରୂପ ଦେଇଛନ୍ତି  । କଣ କହିଥିଲେ ସାଢେ଼ ୪ କୋଟି ଲୋକଙ୍କର ପ୍ରିୟ, ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।
ସ୍ୱାସ୍ଥ୍ୟ
ପୂର୍ବ ସରକାର ନିଜ ଅହଙ୍କାର ପାଇଁ ଲାଗୁ କରି ନ ଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଆମ ସରକାର ଅତିଶିଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ବାରା ଦେଶର ଯେ କୌଣସି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ପାଇ ପାରିବ। ଚଳିତ ବର୍ଷ ବଜେଟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୩୨ ପ୍ରତିଶତ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ଆମେ ଲୋକଙ୍କୁ ଘର ପାଖରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରିଛୁ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ୍ ପ୍ରତିଷ୍ଠା ସହ, ଖାଲି ଥିବା ଡ଼ାକ୍ତର ଓ ପାରା ମେଡିକାଲ ପଦବୀ ପୂରଣ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।
ଶିକ୍ଷା
ଶିକ୍ଷା କ୍ଷେତ୍ରରେ ଆମ ସରକାର ୧୦୦ ଦିନ ଭିତରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପିଏମ୍-ଶ୍ରୀ ଯୋଜନାରେ ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷା ନୀତି - ୨୦୨୦ କୁ ଆମେ ଲାଗୁ କରିବାକୁ ନିଷ୍ପତ୍ତି ନେଇ ସାରିଛୁ।
  ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିପରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ପିଏମ୍-ଉଷା ଯୋଜନା କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀ ମାନେ ଯେଭଳି ଅଧାରୁ ପାଠ ନ ଛାଡନ୍ତି, ସେଥିପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା ରଖା ଯାଇଛି, ଯାହାଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।
ଗ୍ରାମାଞ୍ଚଳ ବିକାଶ
ଭିତ୍ତିଭୂମି ନିର୍ମାଣ ବିକାଶର ମୂଳ ଆବଶ୍ୟକତା। ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥି ସହିତ କେନ୍ଦ୍ର ବଜେଟରେ ଜନଜାତି ଅଧ୍ୟୁଷିତ ଅଞ୍ଚଳକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି, ଯାହାର ସୁଫଳ ଓଡ଼ିଶାକୁ ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଅଧିକ ଆବାସର ପ୍ରାବଧାନ ରଖାଯାଇଛି। 
ସାମାଜିକ କଲ୍ୟାଣ
ଶ୍ରମିକ, ବୟସ୍କ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଭତ୍ତା ର ପରିମାଣ ବୃଦ୍ଧି କରିଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବେ ମାସିକ ୩ ହଜାର ୫ ଶହ ଟଙ୍କା ପାଇବେ। ନିର୍ମାଣ ଶ୍ରମିକମାନଙ୍କ ପରିବାରକୁ କୌଣସି ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ହେଲେ ଏବେ ୬ ଲକ୍ଷ ଟଙ୍କା ସହାୟତା ମିଳିବ। 
ନିଯୁକ୍ତି
ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ମଧ୍ୟରେ ଅଢେଇ ଲକ୍ଷ୍ୟ ସରକାରୀ ପଦବୀ ପୂରଣ କରାଯାଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଅଗ୍ନିବୀର ମାନଙ୍କ ପାଇଁ  ୟୁନିଫର୍ମ ସର୍ଭିସ୍ ରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ।
କ୍ରୀଡା
ଗ୍ରାମାଞ୍ଚଳ ତଥା ତୃଣମୂଳ କ୍ଷେତ୍ରରେ କ୍ରୀଡାର ବିକାଶ ପାଇଁ ଆମ ସରକାର ୯୫୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଭୁବନେଶ୍ୱର ଠାରେ ୧୦୦-ଏକର ଅଞ୍ଚଳ ରେ ଏକ ନୂତନ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ତଥା କ୍ରୀଡ଼ା କେନ୍ଦ୍ର ନିର୍ମାଣ କରାଯିବ। ଜାତୀୟ ହକି ଦଳକୁ ସରକାର ୨୦୩୬ ଯାଏଁ ପ୍ରାୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଶିଳ୍ପ
ଆମର ଅର୍ଥନୈତିକ ଅଭିବୃଦ୍ଧିର ମୂଳ ଉତ୍ସ ହେଉଛି ଶିଳ୍ପ । ବିକଶିତ ଓଡ଼ିଶା ର ସ୍ବପ୍ନ ପୂରଣ କରିବା ପାଇଁ ଶିଳ୍ପ କ୍ଷେତ୍ର ର ପ୍ରମୁଖ ଭୂମିକା ରହିବା। ସେଥିପାଇଁ ଶିଳ୍ପ କ୍ଷେତ୍ର କୁ ଆମେ ଅଧିକ ଗୁରୁତ୍ବ ଦେଉଛୁ ରାଜ୍ୟ ରାଜଧାନୀ ଅଞ୍ଚଳରେ FDI ପାର୍କ ପ୍ରତିଷ୍ଠା, ଗାର୍ମେଂଟ ମାନୁଫେକଚରିଂ, ମେଗା ଫୁଡ଼ ପାର୍କ ଆଦି ପ୍ରତିଷ୍ଠା ପାଇଁ ନିଷ୍ପତି କରାଯାଇଛି ଏହା ସହିତ ରାଜ୍ୟରେ ୧୧ ଟି ନୂଆ MSME ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ରାଉରକେଲା, ସମ୍ବଲପୁର, ପାରାଦୀପ ଓ ଧାମରା ଅଞ୍ଚଳରେ Industrial Corridor ସ୍ଥାପନ ମଧ୍ୟ କରାଯିବ । ଦେଶର ପ୍ରଥମ ସେମି କଣ୍ଡକ୍ଟର ମାନୁଫେକଚରିଂ ଫାସିଲଟି ଭୁବନେଶ୍ବର ଇନ୍ଫୋ ଭ୍ୟାଲିରେ ପ୍ରତିଷ୍ଠା କରାଯିବ । ଏହାର ଭିତ୍ତି ପ୍ରସ୍ତର ରଖାଯାଇ ସାରିଛି । ରାଜ୍ୟର IT, ITES ଓ Electronics କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବ ।
ପୁଞ୍ଜି ବିନିଯୋଗ
ରାଜ୍ୟରେ Single Window Clearance Authority ଜରିୟାରେ ଆମେ ବର୍ତମାନ ସୁଦ୍ଧା ୨୬ ଟି ନୂଆ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇ ସାରିଛୁ । ଏହା ଦ୍ବାରା ରାଜ୍ୟରେ ପ୍ରାୟ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଏବଂ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷ ଆମେ ଶିଳ୍ପ କ୍ଷେତ୍ରରେ ୩.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବୁ । 
ଭିତ୍ତିଭୂମି ନିର୍ମାଣ
ବିକାଶର ପ୍ରଥମ ପାହାଚ ହେଉଛି ଭିତ୍ତିଭୂମି । ଆମର ନୂଆ ସରକାର ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ପାଇଁ ଅପାର ସୁଯୋଗ ସୃଷ୍ଟି କରିଛି । ଏବେ ନିକଟରେ କେନ୍ଦ୍ର ସରକାର କେବଳ ରେଳ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଓଡ଼ିଶାକୁ ଉପହାର ଦେଇଛନ୍ତି। ରେଳ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇ ସାରିଥିବା ବେଳେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯୋଜନା ରହିଛି। 
ନିକଟରେ ମୁଁ ଦିଲ୍ଲୀ ଗସ୍ତ ବେଳେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି।ଏହା ସହିତ ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି।ମୋର ପୁରା ବିଶ୍ୱାସ ଏ ସବୁ ପ୍ରକଳ୍ପ ମଧ୍ୟ ମଞ୍ଜୁର ହେବ। ରେଳପଥ, ସଡ଼କପଥ, ଆକାଶପଥ ଓ ବନ୍ଦରର ବିକାଶ ଜରିଆରେ ରାଜ୍ୟରେ ପ୍ରଗତିର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆସନ୍ତା ଦଶକ ଓଡ଼ିଶା ପାଇଁ ଭିତ୍ତିଭମି ନିର୍ମାଣର ଦଶକ ହୋଇ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରି ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପୁରଣ କରିବ।  
ଦୁର୍ନୀତି ବିରୋଧୀ ପଦକ୍ଷେପ
ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ସଂକଳ୍ପ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେକ ଗ୍ରହଣ କରିଛନ୍ତି। ଲାଞ୍ଚ ଦାବୀ, ଆୟ ବହିର୍ଭୁତ ସଂପତ୍ତିଠୁଳ ଅଭିଯୋଗରେ ୭୧ଟି ମାମଲା ରୁଜୁ କରାଯାଇ ୫୮ଜଣକୁ ଗିରଫ କରି ଜେଲ୍‌ ପଠାଯାଇଛି। ଏଥି ମଧ୍ୟରୁ ୧୭ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇଥିବା ବେଳେ ୭ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ। ପୂର୍ବ ସରକାର କେରାଣ୍ଡି ମାଛ ଧରିବା ଭଳି କେବଳ ଛୋଟ ଛୋଟ କିରାଣୀମାନଙ୍କୁ ଧରୁଥିଲେ। କିନ୍ତୁ ଆମେ ବଡ ବଡ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ମଧ୍ୟ ଛାଡୁ ନାହୁଁ। ସେ କହିଥିଲେ ଯେ ଦୁର୍ନୀତି ମାମଲାରେ ଆମର ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ହୋଇଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତ ରହିଛି। 
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ବ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍। ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଗୋଟିଏ ସରକାର ପାଇଁ ଶହେ ଦିନ ଖୁବ୍ ଅଧିକ ନୁହେଁ। ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟ ରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ।