ମୋଦି ଦେଲେ ଚ୍ୟାଲେଞ୍ଜ , କାଗଜ ନଦେଖି ନବୀନ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ କହିପାରିବେ କି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଏକ ଚ୍ୟାଲେଞ୍ଜ କରିଛନ୍ତି।
ମୋଦି କହିଛନ୍ତି, ନବୀନ ବାବୁଙ୍କୁ ଯେକୌଣସି ସ୍ଥାନରେ ଛିଡ଼ା କରି ଦିଅନ୍ତୁ ଓ କାଗଜ ନ ଦେଖି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ ଏବଂ ସେଗୁଡ଼ିକର ମୁଖ୍ୟାଳୟର ନାଁ କହିବାକୁ କୁହନ୍ତୁ। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାଗୁଡ଼ିକର ନାଁ କାଗଜ ନଦେଖି କହିପାରିବେ ନାହିଁ, ସେ ଆପଣମାନଙ୍କ ଦୁଃଖ କେମିତି ବୁଝିବେ? ତାଙ୍କ ଭରସାରେ କ’ଣ ଆପଣମାନେ ଆପଣମାନଙ୍କ ପିଲାଙ୍କ ଭବିଷ୍ୟତକୁ ଛାଡ଼ିପାରିବେ? ତେଣୁ ଅଧିକ ନୁହେଁ, ମୋତେ ୫ ବର୍ଷ ସୁଯୋଗ ଦିଅନ୍ତୁ। ଯଦି ୫ ବର୍ଷରେ ମୁଁ ଆପଣମାନଙ୍କ ଓଡ଼ିଶାକୁ ୧ ନମ୍ବର ନକରିପାରିବି ତା’ହେଲେ ମୋତେ କହିବେ ମୋଦି କ’ଣ କହିକି ଯାଇଥିଲେ। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି। ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା? ଗୁଜରାଟରେ ଲୁଣ ଛଡ଼ା କିଛି ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସଂପଦ ଭରି ରହିଛି। ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହୋଇପାରିବ। ତେଣୁ ରାଜ୍ୟର ମାଟି ସହିତ ଯୋଡ଼ି ହୋଇ ରହିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। ଥରେ ସାହସ କରି ବିଜେପିର ସବୁ ବିଧାୟକ ପ୍ରାର୍ଥୀଙ୍କୁ ଜିତାନ୍ତୁ ଓ ବିଜେପି ସରକାର ଗଠନ କରନ୍ତୁ।