ବିମାନରେ ଯାନ୍ତ୍ରିକ ତ୍ରୁଟି : ଦେଓଘରରେ ଅଟକିଗଲେ ମୋଦି
Narendra Modi
ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ପ୍ରଚାର ସାରି ନୂଆଦିଲ୍ଲୀ ଫେରିଥା’ନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଓଘର ବିମାନ ବନ୍ଦରରେ ମୋଦିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ନୂଆଦିଲ୍ଲୀ ଫେରିବାରେ ତାଙ୍କର ବିଳମ୍ବ ହୋଇଥିଲା ।
ଆଜି ମୋଦି ଝାଡ଼ଖଣ୍ଡରେ ଧୂଅାଁଦାର ପ୍ରଚାର କରିଛନ୍ତି । ପ୍ରଚାର ସାରି ସେ ଦେଓଘର ବିମାନ ବନ୍ଦରକୁ ଫେରିଥିଲେ । ସେଠାରୁ ସେ ନୂଆଦିଲ୍ଲୀ ବାହାରିଥା’ନ୍ତେ । କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯେଉଁ ସମୟରେ ସେ ବାହାରିବା କଥା ତାହା ସମ୍ଭବପର ହୋଇନଥିଲା । ତୁରନ୍ତ ଏକ ଟିମ୍ ବିମାନର ଯାନ୍ତ୍ରିକ ତ୍ରୁଟି ଦୂର କରିବାରେ ଲାଗି ପଡ଼ିଥିଲେ । କିନ୍ତୁ କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟି ହୋଇଥିଲା ସେନେଇ କୌଣସି ସୂଚନା ମିଳିନାହିଁ ।
ଆଜି ଝାଡ଼ଖଣ୍ଡରେ ମୋଦି ଦୁଇଟି ବିଶାଳ ସମାବେଶରେ ଯୋଗ ଦେଇଥିଲେ । ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଥିଲା । ନଭେମ୍ବର ୨୦ରେ ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ଭୋଟ୍ ଥିବାବେଳେ ଏହି ଉତ୍ସବର ବି ଏକ ବଡ଼ ମହତ୍ତ୍ୱ ରହିଛି । ଅପରପକ୍ଷରେ ମୋଦିଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କର ଦିଲ୍ଲୀ ଗସ୍ତ ବିଳମ୍ବିତ ହୋଇଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବି ଅକଳରେ ପଡ଼ି ଯାଇଥିଳେ । ଝାଡ଼ଖଣ୍ଡର ଗୋଡ଼ାରେ ରାହୁଲଙ୍କର ବି ସଭା ଥିଲା । କିନ୍ତୁ ଏଟିସି କ୍ଳିୟରାନ୍ସ ନଦେବାରୁ ତାଙ୍କର ଗସ୍ତ ବି ବିଳମ୍ବିତ ହୋଇଥିଲା । ପାଖାପାଖି ତାଙ୍କ ହେଲିକପ୍ଟରଟି ୪୫ ମିନିଟ୍ ବିଳମ୍ବିତ ହୋଇଥିଲା । ରାହୁଲଙ୍କ ପ୍ରଚାରରେ ବ୍ୟାଘାତ ସୃଷ୍ଟି ପାଇଁ ଏଭଳି ଏକ ଚାଲ୍ ହୋଇଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଟିସି ମୋଦିଙ୍କ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାରୁ ଏଭଳି ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।