ସରକାରଙ୍କୁ ଏମିତି କହିଲେ ନବୀନ

Naveen Patanaik, Odisha

ସରକାରଙ୍କୁ ଏମିତି କହିଲେ ନବୀନ

ଭୁବନେଶ୍ୱର : ବଡ଼ପାଟିରେ କହିଲେ ମିଛ ସତ ହୋଇଯାଏ ନାହିଁ  । ତିନି ମାସ ହୋଇଗଲା  । ଏବେ ଆଈ ମା’ ଗପ ଛାଡ଼ି ସରକାର କାମ କରି ଦେଖାନ୍ତୁ  । ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ଦୋମୁହାଁ କଥା, ସବୁଥିରେ ମିଛ  । ମିଛ କହି ନିର୍ବାଚନ ଜିତିପାର, କିନ୍ତୁ ଲୋକଙ୍କ ହୃଦୟ ନୁହେଁ  । ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ମୁଖ୍ୟ  । ବିଜୁ ଯୁବ ଜନତା ଦଳ ସାଂଗଠନିକ କର୍ମଶାଳାରେ ଏହା କହିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ  ।

ନବୀନ କହିଥିଲେଯେ, ବିଜେଡ଼ିର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା  । ରାଜନୀତି କେବଳ କ୍ଷମତା ନୁହେଁ  । ରାଜନୀତି ହେଉଛି ଲୋକଙ୍କର, ମାତୃଭୂମିର ଓ ମାନବତାର ସେବା କରିବାର ଏକ ମାଧ୍ୟମ  । ଗତ ନିର୍ବାଚନରେ ବିଜେଡ଼ି ୪୧.୦୨% ଭୋଟ ପାଇଥିଲା  । ଭୋଟରେ ଆମେ ଅନ୍ୟମାନଙ୍କ ଠାରୁ ଆଗରେ ରହିଛୁ  । ଓଡ଼ିଶା ଲୋକଙ୍କ ଭଲ ପାଇବା ଆମର ଶକ୍ତି  । ବିଜୁବାବୁଙ୍କର ଯୁବଶକ୍ତି ଉପରେ ବହୁତ ଭରସା ଥିଲା  । ଆମ ଯୁବବନ୍ଧୁମାନଙ୍କ ଦକ୍ଷତା ଉପରେ ମୋର ପୂରା ବିଶ୍ୱାସ ରହିଛି  । ଆମର ଯୁବ ସଂଗଠନକୁ ଆହୁରି ସଶକ୍ତ ଓ ଚଳଚଞ୍ଚଳ କରିବାକୁ ପଡ଼ିବ  । ସଭ୍ୟ ସଂଗ୍ରହ ଅଭିଯାନରେ ଯେଭଳି ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ହେବେ ତାହା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ  ।

ବିଜେଡ଼ି ସରକାର ସମୟରେ ଯୁବ ସଶକ୍ତିକରଣ ଉପରେ ଆମେ ବିଶେଷ ଧ୍ୟାନ ଦେଇ କାମ କରିଥିଲୁ  । କ୍ରୀଡ଼ା କ୍ଷେତ୍ରରେ ଆଜି ଆମେ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛୁ  । ବୈଷୟିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆମ ଯୁବକମାନେ ସୁନାମ ଅର୍ଜନ କରିଛନ୍ତି  । ଏହି ଧାରା ଜାରି ରଖିବା ଦରକାର  । ଏବେ କିଛି ଲୋକ ନିଜର ଭାବନାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି  । ଯାହାକି ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ  । ଓଡ଼ିଆ ଅସ୍ମିତା ନାଁରେ କିଛି ଲୋକ ଆମର ମହାପୁରୁଷଙ୍କୁ ବି ଗୌଣ କରିଦେଉଛନ୍ତି  । ଏଭଳି ନେତାମାନେ ଆମ ଭବିଷ୍ୟତର ପୀଢ଼ିକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ  ।

ସେ କହିଥିଲେଯେ, ବିଜୁବାବୁଙ୍କ ଆଦର୍ଶରେ ବିଜେଡ଼ି ଗଢ଼ା ହୋଇଛି  । ବିଜୁବାବୁଙ୍କ ଭିଜନ ନେଇ କାମ କଲେ ଆମେ ଲୋକଙ୍କ ହୃଦୟରେ ରହିପାରିବା  । ବିଜେଡ଼ି କୌଣସି ବ୍ୟକ୍ତି ଉପରେ ନିର୍ଭରଶୀଳ ନୁହେଁ  । ବିକଶିତ ଓଡ଼ିଶା ପାଇଁ ଏହା ଗଢ଼ା ହୋଇଥିଲା  । ସୁବିଧାବାଦୀମାନେ ବିଜେଡ଼ି ଛାଡୁଛନ୍ତି, ଯାହାକି ଆମକୁ ସଶକ୍ତ ଓଡ଼ିଶା ଗଠନରେ ଲଢେ଼ଇ କରିବାକୁ ବଳ ଦେବ  । ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଏକ ବଡ଼ ଭୂମିକା ଗ୍ରହଣ କରୁଛି  । ମିଛ କଥା ଓ ଭ୍ରମାତ୍ମକ ତଥ୍ୟ ବିରୋଧରେ ଲଢେ଼ଇ କରିବା  । ସେହିଭଳି ରକ୍ତ ଦାନ, ପରିବେଶ ସୁରକ୍ଷା ଆଦି ଭଳି ସାମାଜିକ କାର୍ଯ୍ୟକ୍ରମରେ ବ୍ରତୀ ରହିବାକୁ ସେ ଆହ୍ୱାନ ଦେଇଥିଲେ  ।