ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା (ରତନ ଦାଶ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି । ପ୍ରମୁଖ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏଠାରେ ବିଧାୟକ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ମାତ୍ର ଭାଜପା, ଓ ବିଜେଡିରୁ ଟିକେଟ ପାଇଁ ଲବି ଚଳାଇ ନିରାଶ ହୋଇଥିବା ଆଶାୟୀମାନେ ଏବେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ସେମାନଙ୍କୁ ମନେଇବା ପାଇଁ ଉଭୟ ଦଳ ଚେଷ୍ଟା ଚଳାଇଛନ୍ତି । ହେଲେ ଏ ଦିଗରେ ଦଳ ସଫଳ ହେବା ଅପେକ୍ଷା ସ୍ଥିତି ଜଟିଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବିଜେଡିର ଅନସୂୟା ପାତ୍ର ଏବଂ ଭାଜପାର ସନାତନ ବିଜୁଳିଙ୍କ ନାମ ଘୋଷଣା ବହୁ ପୂର୍ବରୁ ହୋଇସାରିଛି । ଉଭୟ ନିଜନିଜ ଦଳର ଅସନ୍ତୁଷ୍ଟଙ୍କୁ ମନାଇବାରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି । ବିଜେଡି ପ୍ରାର୍ଥତ୍ନୀ ଅନସୂୟାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର । ଦକ୍ଷ ସଂଗଠକ ତଥା ପୂର୍ବତନ ରଣଜୀ ଖେଳାଳି ଲଲାଟେନ୍ଦୁ ବେହେରା ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ତାଙ୍କ ନିକଟତମ ଲୋକଙ୍କ ଶୁଣିବାକୁ ମିଳୁଛି । ସେହିପରି ବିକାଶ ଚନ୍ଦ୍ର ସେଠୀ ଗତ କିଛି ମାସ ହେବ ବିଜେଡି ଟିକେଟ ପାଇଁ ଭୁବନେଶ୍ୱରରେ ଡେରା ପକାଇ ନିରାଶ ହୋଇଛନ୍ତି । ଟିକେଟ ଘୋଷଣା ପରେ ସେ ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଅଛନ୍ତି । ଆଉ ଦଳୀୟ ପ୍ରାର୍ଥୀଙ୍କୁ ପାନେ ଚଖାଇବା ସୁଯୋଗ ଅପେକ୍ଷାରେ ଥିବା ଆଲୋଚନା ହେଉଛି । ଆଉ ଜଣେ ସାମାଜିକ କର୍ମୀ କରମଚାନ୍ଦ କାଳନ୍ଦି ମଧ୍ୟ ବିଜେଡି ଟିକେଟ ୌଡ଼ରେ ଆଗରେ ଥିଲେ । ହେଲେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିନାହିଁ । ତେଣୁୁ ସେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମହିଳା ଆଶାୟୀ ଅଞ୍ଜନା ବେହେରା ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେଇ ସମାଜସେବାରେ ଲାଗିଥିଲେ । ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଭାବେ ଅନସୂୟାଙ୍କୁ ଟିକେଟ ଦେବା ପରେ ସେ ମଧ୍ୟ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ନାମାଙ୍କନ ଭରିବେ ବୋଲି ଆଲୋଚନା ଜୋର ଧରିଛି । ଦଳୀୟ ନେତୃତ୍ୱ ଅସନ୍ତୁଷ୍ଟଙ୍କୁ କୌଣସି ଉପାୟରେ ବୁଝାଶୁୁଝା କରି ନାମାଙ୍କନ ଦାଖଲରୁ ନିବୃତ୍ତ କଲେ ମଧ୍ୟ ସେମାନଙ୍କ ସଂଗଠନ ଭାଜପାକୁ ଭିତିରି ସମର୍ଥନ କରି ଦଳୀୟ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି ।
ଭାଜପାର ମଧ୍ୟ ସମାନ ଅବସ୍ଥା । ଆଶାୟୀ ମାନସ ରଞ୍ଜନ ବେହେରା ଟିକେଟ ନ ପାଇବାରୁ ଏବେ ନବ ନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଦୀର୍ଘବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିବା ଏବଂ ତାଙ୍କ ସପକ୍ଷରେ ବିଶ୍ୱହିନ୍ଦୁ ପରିଷଦର ସମର୍ଥନ ଥିବା ଯୋଗୁ ଦଳୀୟ ପ୍ରାର୍ଥୀଙ୍କ ସେ ପାଇଁ ବାଧକ ସାଜି ପାରନ୍ତି ବୋଲି କୁହାଯାଉଛି । ମୟୂରଭଞ୍ଜ ଜିଲା ପରିଷଦ ୨୪ନଂ. ଜୋନର ବିଜେଡି ସଦସ୍ୟ ଜଗନ୍ନାଥ ମଲ୍ଲିକ ଶଙ୍ଖ ଛାଡି ପଦ୍ମ ଧରିଥିଲେ । ମାତ୍ର ଦଳ ସନାତନ ବିଜୁଳିଙ୍କ ଉପରେ ଆସ୍ଥା ରଖି ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ସେ କେଉଁ କୂଳକୁ ହୋଇ ପାରିନାହାନ୍ତି । ତେଣୁ ଉଭୟ ଦଳର କିଛି ଅସନ୍ତୁଷ୍ଟ ତାଙ୍କୁ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରବର୍ତ୍ତାଉ ଥିବା କୁହାଯାଉଛି । ଉଭୟ ପ୍ରମୁଖ ଦଳର କେତେକ ଅସନ୍ତୁଷ୍ଟ ନେତାଙ୍କୁ ମନେଇବା ସହଜ ହୋଇପାରୁନାହିଁ । ଏଭଳି ସ୍ଥିତିରେ ଉଭୟ ଦଳର ଅସନ୍ତୁଷ୍ଟ କର୍ମକର୍ତ୍ତାଙ୍କ ସମର୍ଥନ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ସାମାଜିକ କର୍ମୀ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରିମୂଖୀ ଲଢେଇ ହେବା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ।