ସ୍ନେହାଙ୍ଗିନୀ ବିଜେଡ଼ି ପ୍ରାର୍ଥୀ
ବରଗଡ଼ ନେତ୍ରୀଙ୍କ ହାତରେ ନୂଆପଡ଼ା
ଭୁବନେଶ୍ୱର : ଜୟ ଢୋଲକିଆ ବିଜେଡ଼ି ଛାଡ଼ି ବିଜେପିକୁ ଚାଲିଯିବା ପରେ ଟିକେଟ ନେଇ ତିନି ଚାରି ଦିନ ଧରି ବିଜେଡ଼ି ମାନସମନ୍ଥନ କରିଥିଲା । ନୂଆପଡ଼ା ନିର୍ବାଚନମଣ୍ଡଳୀର ଅନେକ ନେତା ଟିକେଟ ଆଶାୟୀ ଥିଲେ । ହେଲେ ଦଳର ଅତଏବ ଉତ୍ତର ‘କିମ୍ଭୁତକିମ୍ଭାକାର’ କହିଲେ ଭୁଲ୍ ହେବନାହିଁ ।
ନୂଆପଡ଼ାରୁ ନବୀନ ନିବାସ ଯାଏଁ ଅଙ୍କକଷା ହେବାପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସ୍ନେହାଙ୍ଗିନୀ ଛୁରୀଆଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ଯାହାକି ଦଳର ଅନେକ ନେତା ଓ କର୍ମୀଙ୍କୁ ନିର୍ବାକ୍ କରିଦେଇଛି । ନୂଆପଡ଼ାରୁ ନେତା ମିଳିଲେନିଯେ, ଦଳ ବରଗଡ଼ ଅତାବିରାରୁ ସ୍ନେହାଗିନୀଙ୍କୁ ପ୍ରାର୍ଥୀ କରିଛି । ଅବଶ୍ୟ କେହିକେହି ସ୍ନେହାଗିନୀଙ୍କ ମାମୁଁଘର ନୂଆପଡ଼ା ବୋଲି ତାଙ୍କୁ ଟିକେଟ୍ ଦିଆଯାଇଥିବା କୁହାଯାଉଛି । ତେବେ ସେ ଯାହାହେଉନା କାହିଁକି ବିଜେଡ଼ିର ସମୟ କିନ୍ତୁ ଭଲ ଚାଲିନାହିଁ । ପ୍ରଥମେ ଦଳ ଯାହା ଭରସାରେ ନିର୍ବାଚନ ଜିଣିବ ବୋଲି ଯୋଜନା କରିଥିଲା ସେ ଏବେ ବିଜେପି ପ୍ରାର୍ଥୀ । ଏବେ ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ନିଜ ଭୋଟ୍ ନିଜକୁ ବି ଦେଇପାରିବେ ନାହିଁ । ସ୍ନେହାଗିନୀ ବି ଜଣେ ଲୋକପ୍ରିୟ ନେତ୍ରୀ ନୁହଁନ୍ତି । ଗାଏମୋଟ୍ କହିଲେ ନବୀନଙ୍କ ନାମରେ ହିଁ ଦଳ ନିର୍ବାଚନ ଲଢ଼ିବ । ଦଳ କେଉଁ ରଣନୀତି କରିବ, କି ଅଙ୍କ କଷି ଜିତିବାର ସ୍ୱପ୍ନ ଦେଖିବ ତାହା ମା’ ଗଙ୍ଗେଇ ହିଁ ଜାଣନ୍ତି ।
ରାଜନୀତିକ ସମୀକ୍ଷକଙ୍କ ମତରେ ବିଜେଡ଼ିର ଏବେବି ଅହଙ୍କାର ଯାଇନି । ଦଳ ଏବେବି ବିପୁଳ ଟଙ୍କା ଓ ନବୀନଙ୍କ ଲୋକପ୍ରିୟତାକୁ ହିଁ ଭରସା କରୁଛି । କିନ୍ତୁ ଚବିଶ ନିର୍ବାଚନରେ ଏହାର ପ୍ରମାଣ ମିଳିସାରିଛି । ବିପୁଳ ଟଙ୍କା ଖର୍ଚ୍ଚ ସତ୍ତେ୍ୱ ଦଳ ସରକାରରୁ ପଳାଇଲା । ନୂଆପଡ଼ା ଉପନିର୍ବାଚନ ରାଜ୍ୟ ରାଜନୀତିକୁ ଏକ ବଡ଼ ସଂକେତ ଦେବ । ହେଲେ ଏହାକୁ ଦଳ ଗୁରୁତର ସହ ନେବାଭଳି ମନେହେଉନି । କଂଗ୍ରେସର ଘାସିରାମ ମାଝୀ ବାରବାର ନିର୍ବାଚନ ଲଢ଼ି ହାରିଛନ୍ତି । ହେଲେ ସେ ପାଖାପାଖି ୪୦ ହଜାର ଭୋଟ୍ ପାଆନ୍ତି । ଗତ ନିର୍ବାଚନରେ ସମୀକରଣ ଯୋଗୁଁ ସେ ଭଲ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଯାଇଥିଲେ । ବିଜେଡ଼ିର ରଣନୀତି କଂଗ୍ରେସକୁ ସୁହାଇବ । ପିସିସି ସଭାପତି ଭକ୍ତ ଚରଣ ଦାସ ସବୁବେଳେ ବିଜେପି-ବିଜେଡ଼ି ଭାଇଭାଇ ବୋଲି କହି ଆସୁଛନ୍ତି । ଏହି ନ୍ୟାରେଟିଭ୍ ଯଦି ଲୋକେ ଗ୍ରହଣ କରିନେଲେ ତେବେ ବିଜେଡ଼ି କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଏମିତିବି ବିଜେଡ଼ି ଗତ ଉପନିର୍ବାଚନରେ ୬୨ ହଜାର ଭୋଟ୍ ପାଇଥିଲା । ଯଦି ଜୟ ଢୋଲକିଆ ଅନ୍ୟୁନ ୧୨ ହଜାର ଭୋଟ୍ ବିଜେଡ଼ିରୁ ନେଇଯାଆନ୍ତି ତେବେ ତାହା ୫୦ ହଜାର ଭିତରେ ସୀମିତ ରହିବ । ନୂଆପଡ଼ା ଲୋକଙ୍କୁ ପ୍ରାର୍ଥୀ କରିଥିଲେ ଅଲଗା କଥା । ହେଲେ ଦଳ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ କରିବା ଘଟଣା ତୃଣମୂଳସ୍ତରର କର୍ମୀମାନଙ୍କୁ ପ୍ରଭାବିତ କରିଛି ।
ଏସବୁ ଭିତରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ନୂଆପଡ଼ାରେ ରହି ପ୍ରଚାର କରିବେ । ଯାହାକି ବିଜେଡ଼ି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି । ତେବେ ଅନ୍ୟମାନେ ଉତ୍ସାହିତ ହେବା ଅପେକ୍ଷା ନୂଆପଡ଼ାବାସୀ କେତେ ଉତ୍ସାହିତ ହେବେ ତାହା ଉପରେ ହିଁ ସବୁକିଛି ନିର୍ଭର କରିବ ।