ନବୀନଙ୍କ ଘା’ରେ ସୌମ୍ୟଙ୍କ ଚୁନ : ‘ଚୁପ୍ ସଇତାନ’
Naveen Patanaik, Odisha SOUMYARANJAN

ହୃଦୟ ସମ୍ରାଟ ଚୁପ୍ କାହିଁକି ?
ଓଡ଼ିଶାବାସୀଙ୍କୁ ଧୋକା ନଦିଅନ୍ତୁ ବିଜେଡ଼ି ନେତା
ଭୁଲକୁ ଠିକ ପ୍ରମାଣିତ କରୁଥିବା ନେତା କାପୁରୁଷ
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୬ା୪: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଟା ଘାରେ ଚୁନ ମାରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ସିଧା ସିଧା କହିଛନ୍ତି ତାଙ୍କ ଆଚରଣ ଓ ଉଚ୍ଚାରଣ ‘ଚୁପ ସୈତାନ’ ଭଳି । ଓଡ଼ିଆଙ୍କ ହୃଦୟ ସମ୍ରାଟ୍ ଚୁପ୍ କାହିଁକି ବୋଲି ତାତ୍ସଲ୍ୟ ବି କରିଛନ୍ତି । ଖାଲି ସେତିକିନୁହେଁ ଯେଉଁ ବିଜେଡ଼ି ନେତାମାନେ ଭୁଲକୁ ଠିକ୍ ବୋଲି ପ୍ରମାଣିତ କରୁଛନ୍ତି ସେମାନଙ୍କୁ କାପୁରୁଷ ବୋଲି କହିଛନ୍ତି । ଫେସବୁକରେ ସୌମ୍ୟଙ୍କ କଟୁକ୍ତି ଏବେ ରାଜନୀତିକ ଅଳିନ୍ଦରେ ଆଲୋଡ଼ନ ସୃଷ୍ଟି କରିଛି ।
ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି । ଏହି କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତିନାହିଁ । ବିଶେଷକରି ନବୀନବାବୁଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି । ନବୀନବାବୁ ବେଶୀ କଥା କହନ୍ତି ନାହିଁ । ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା' ହେଲା "ବେଇମାନ୍’ । ଆଜି ୱାକଫ ବିଲ୍ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବାନଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ'ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା? ମୋତେ ଲାଗେ, "ଚୁପ୍ ସୈତାନ୍’ ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ ।
ଦିନ ଥିଲା, ନବୀନବାବୁଙ୍କୁ ଓଡ଼ିଆମାନଙ୍କର ‘ହୃଦୟ ସମ୍ରାଟ' ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ । ନବୀନବାବୁ ଏହାକୁ ନେଇ କ'ଣ ଭାବୁଥିଲେ ଜଣା ନାହିଁ । କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ । ପିତାଙ୍କ ନାମରେ ଗଢ଼ିଥିବା ‘ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ’ ବୋଲି ସମସ୍ତେ କହୁଥିଲେ । ଆଜି କ'ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି ! ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି; ପୁଣି ଶେଷରେ ବିବେକ କଥା କହିଛନ୍ତି !
ଦଳର ବିବେକ କ'ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ । ବିଭିନ୍ନଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ । ଏବେବି ସମୟ ଅଛି, ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକାନଦିଅନ୍ତୁ । ମଣିଷ ମାତ୍ରେ ଭୁଲ୍ କରେ । ଭୁଲ୍କୁ ସ୍ୱୀକାର କରି ଆଗେଇଯିବା ସୁପୁରୁଷର ଲକ୍ଷଣ । କିନ୍ତୁ ଭୁଲ୍କୁ ଜାଣିଶୁଣି ଠିକ୍ ବୋଲି ପ୍ରମାଣିତ କରିବାପାଇଁ ବାହାସ୍ଫୋଟ ମାରୁଥିବା ନେତାମାନେ ଜାଣିବା ଦରକାରଯେ, ଏହା କାପୁରୁଷର ଲକ୍ଷ । ଆଜି ନହେଲେ ବି କାଲି, ଈଶ୍ୱର ଏଥିପାଇଁ ଉଚିତ୍ ନ୍ୟାୟ କରିବେ ।