‘ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ’

Naveen Pattanaik Biju Janata Dal VK Pandian

‘ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ’

ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  । କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ସେ ହିଞ୍ଜିଳିକାଟୁରୁ ଲଢ଼ିବେ  । ପ୍ରାର୍ଥୀପତ୍ର ଦାଖଲ ପରେ ‘ବିକଶିତ ଏବଂ ସଶକ୍ତ ଓଡ଼ିଶା’ ଗଠନ ପାଇଁ ସେ ଶଙ୍ଖ ଚିହ୍ନକୁ ଆଶୀର୍ବାଦ ଦେବାକୁ ନିବେଦନ କରିଛନ୍ତି  । ଚବିଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ଗଡ଼ ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଳାର କଣ୍ଟାବାଞ୍ôଝରୁ ମଧ୍ୟ ନିର୍ବାଚନ ଲଢ଼ିବେ  । 

ପ୍ରାର୍ଥୀପତ୍ର ଦାଖଲ ପରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେଯେ, ମା’ ତାରାତାରିଣୀଙ୍କ ଆଶୀର୍ବାଦରେ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରି ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲି  । ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ମୁଁ ସମର୍ପିତ  । ବିଶ୍ୱାସ ଅତୁଟ ରଖନ୍ତୁ, ଏକ ‘ବିକଶିତ ଏବଂ ସଶକ୍ତ ଓଡ଼ିଶା’ ଗଠନର ମାର୍ଗକୁ ଆହୁରି ପ୍ରଶସ୍ତ କରିବାକୁ ଆଗେଇ ଆସନ୍ତୁ  । ‘ଶଙ୍ଖ’ ଚିହ୍ନରେ ଆଶୀର୍ବାଦ କରନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି  । 

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ  । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, ମନ୍ତ୍ରୀ ବିକ୍ରମ ଆରୁଖ ଆରୁଖ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ  । ଏହାଛଡ଼ା ଏହି ଦୁଇ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ବି ଉପସ୍ଥିତ ଥିଲେ  ।

ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟାରେ ଛତ୍ରପୁର ନିକଟ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ  । ସେଠାରୁ କାର୍‌ ଯୋଗେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ଯାଇଥିଲେ  । ବେଢ଼ା ପରିକ୍ରମା କରିବା ସହିତ ଗର୍ଭଗୃହରେ ମା’ଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ  । ତାଙ୍କ ସାଙ୍ଗରେ ଥିଲେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌  । ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପୁଣି କାର୍‌ ଯୋଗେ ଫେରିଥିଲେ  । ରାସ୍ତାର ଦୁଇପାଶ୍ୱର୍ରେ ହଜାର ହଜାର ଜନତା ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ  । ପ୍ରାୟ ୧୨.୪୦ରେ ମୁଖ୍ୟମନ୍ତ୍ରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଭରିଥିଲେ  ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  । ଦକ୍ଷିଣାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଓ ଗଞ୍ଜାମ ଏସପି ଜଗମୋହନ ମୀନା ସୁରକ୍ଷା ବ୍ୟବସ୍ଥାର ତତ୍ତ୍ୱାବଧାନ କରିଥିଲେ  । ହେଲିପ୍ୟାଡ୍‌ ସ୍ଥାନରୁ ନେଇ ତାରାତାରିଣୀ ଏବଂ ଛତ୍ରପୁରରେ ପାଖାପାଖି ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲେ  ।