ଚଳନ୍ତା ଟ୍ରେନରୁ ଖସି ୬ ମୃତ

ଚଳନ୍ତା ଟ୍ରେନରୁ ଖସି ୬ ମୃତ


 ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଚଳନ୍ତା ଲୋକାଲ୍ ଟ୍ରେନ୍ରୁ ଖସି ଆଜି ୬ଜଣଙ୍କ ମୃତୁ୍ୟ ହୋଇଛି । ଏହାସହ ୭ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଥାନେ ଅଧୀନ ଡିଭା ଏବଂ କୋପାର ରେଳ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନ୍ରେ ମାତ୍ରାଧିକ ଭିଡ଼ ଯୋଗୁ ଟ୍ରେନ୍ ଦୁଆର ମୁହଁରେ ଛିଡ଼ା ହୋଇଥିବା କେତେକ ଯାତ୍ରୀ ଭାରସାମ୍ୟ ହରାଇ ଜଣକ ପରେ ଜଣେ ଚଳନ୍ତା ଗାଡ଼ିରୁ ଖସି ପଡ଼ିଥିଲେ । ପ୍ରାୟ ୧୦ଜଣରୁ ଊଦ୍ଧ୍ୱର୍ ଲୋକ ଟ୍ରେନ୍ରୁ ଖସି ପଡ଼ିଥିବା ବେଳେ ସେଇମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ପ୍ରାୟ ଯୁବଗୋଷ୍ଠୀ ଥିବା ବେଳେ ସମସ୍ତଙ୍କ ବୟସ ୩୦ରୁ ୩୫ ମଧ୍ୟରେ ହେବ ବୋଲି ଜଣାଯାଇଛି । ସକାଳ ୯.୩୦ରୁ ଅଫିସ୍ କାର୍ଯ୍ୟ ଯୋଗୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସମୟ ବଞ୍ଚାଇବା ପାଇଁ ପ୍ରଥମ ଗାଡ଼ିରେ ଯିବାକୁ ସମସ୍ତେ ପ୍ରାୟ ଆଗଭର ହେବାରୁ ଭିଡ଼ ଆହୁରି ବଢ଼ିଥିଲା । ଦୁଆର ମୁହଁରେ ଛିଡ଼ା ହେବାକୁ ଜାଗା ନ ଥିବା ବେଳେ ତା’ ଉପରେ ମଧ୍ୟ ଅନେକ ଯାତ୍ରୀ ଯିବା ପାଇଁ ଜିଦ୍ ଧରି ଗାଡ଼ିରେ ଚଢ଼ିଥିଲେ ।
ଯେଉଁ ଟ୍ରେନ୍ରେ ଏହି ଘଟଣା ଘଟିଛି, ତା ଠିକ୍ ପଛକୁ ଅଳ୍ପ ବ୍ୟବଧାନରେ ଆଉ ଏକ ଟ୍ରେନ୍ ଥିବାରୁ ଦୁଇ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ସେଣ୍ଟ୍ରାଲ ରେଲୱେ ସିପିଆର୍ଓ ସ୍ୱପ୍ନୀଳ ଧନରାଜ ନିଳଙ୍କ କହିବା ମୁତାବକ, ଏହା ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ପାଇଁ ନୁହେଁ ବରଂ ମାତ୍ରାଧିକ ଭିଡ଼ ଯୋଗୁ ତଥା  ନିର୍ଦ୍ଦିଷ୍ଟ କେତେକ ଯାତ୍ରୀ ପାଇଁ ଏହି ଅଘଟଣ ଘଟିଛି । ଏକ ବୁଲାଣିରେ ଟ୍ରେନ୍ ଢଳାଣିଆ ହୋଇଯିବାରୁ ଏବଂ ଯାତ୍ରୀମାନେ ଭଲରେ ଛିଡ଼ା ହୋଇ ନ ଥିବାରୁ ଭାରସାମ୍ୟ ହରାଇ ଜଣକ ପରେ ଜଣେ ଖସି ପଡ଼ିଥିବା ସେ ଅନୁମାନ କରିଛନ୍ତି ।  ତେବେ ଏ ଘଟଣା ପାଇଁ କିଏ ଦାୟୀ ନିଶ୍ଚିତ ରୂପେ ଏହା ତଦନ୍ତାଧୀନ ହେବା ଜରୁରୀ ବୋଲି କହିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ରେଳ ବିଭାଗକୁ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ବୋଲି କହିଛନ୍ତି । ସେହିପରି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଚିକିତ୍ସାଧୀନ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଅପରପକ୍ଷେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ସବୁବେଳେ ଭିଡ଼କୁ ନେଇ ଚର୍ଚ୍ଚାରେ ରହିଥାଏ । ଏଥିପାଇଁ ଉଚିତ ବିଧି ବ୍ୟବସ୍ଥା ସ୍ୱରୂପ ଟ୍ରେନ୍ରେ ଅଟୋମେଟିକ୍ ଡୋର୍ ଲଗାଇବାକୁ ଦାବି କରିଛନ୍ତି ଏନ୍ସିପି ସଭାପତି ଶରଦ ପାୱାର । ପୂର୍ବରୁ ମଧ୍ୟ ଏପରି ଭିଡ଼ ଯୋଗୁ ବହୁ ଦୁର୍ଘଟଣା ଘଟିଥିବା ନଜିର ରହିଛି । ଏଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାଥମିକତା ଭିତ୍ତିରେ ରାଜ୍ୟ ସରକାରଙ୍କୁ ଅଟୋମେଟିକ୍ ଡୋର୍ ବ୍ୟବସ୍ଥା କରିବାକୁ ସେ ‘ଏକ୍ସ’ ଆକାଉଣ୍ଟ ଜରିଆରେ ଦାବି କରିଛନ୍ତି ।