ରାଜଧାନୀରେ ଘରଭଡ଼ା ଖୋଜୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ


ମାତିଛନ୍ତି ଓଲେକ୍ସ ଠକ, ନେଇଯାଉଛନ୍ତି ହଜାର ହଜାର ଟଙ୍କା, ୨ ଠକ ଗିରଫ
 ଭୁବନେଶ୍ୱର, ୮ା୪ : ରାଜଧାନୀରେ ଓଲେକ୍ସରେ ଘରଭଡ଼ା ଖୋଜୁଛନ୍ତି, କିମ୍ବା ଘରଭଡ଼ାର ବିଜ୍ଞାପନ ଦେଉଛନ୍ତି କି ? ତାହାହେଲେ ହୋଇଯାଆନ୍ତୁ ସାବଧାନ । ନ ହେଲେ ଠକଙ୍କ ଜାଲରେ ଫସିବା ଥୟ । ଠକମାନେ ବିଭିନ୍ନ ଘରର ଫୋଟ ଦେଇ ଲୋକଙ୍କ ଠାରୁ ଲୁଟିନେଉଛନ୍ତି ହଜାର ହଜାର ଟଙ୍କା । ଏଭଳି ଠକେଇ ଘଟଣାରେ ଦୁଇ ଜଣ ଓଲେକ୍ସ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲାର ମନୋଜ ବେହେରା ଓ ସତ୍ୟ ପ୍ରକାଶ ଦଳେଇ । ଏମାନଙ୍କ ଠାରୁ ପୁଲିସ ୩ଟି ମୋବାଇଲ, ୬ଟି ଏଟିଏମ କାର୍ଡ ଓ ୭ ହଜାର ଟଙ୍କା । ପରେ ଥାନା କେସ ନମ୍ବର ୨୦୩ରେ ମାମଲା ରୁଜୁକରି ଦଫା ୪୧୯, ୪୨୦,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୋକସଂଖ୍ୟା , ତାହାସହ ନୂଆଁ ନୂଆଁ ଘର, କୋଠା, ଆପାର୍ଟମେଣ୍ଟ ମଧ୍ୟ ଗଢ଼ିବାରେ ଲାଗିଛି । ଘର ମାଲିକମାନେ ବିଭିନ୍ନ ସାଇଟ୍ ଓ ଓଲେକ୍ସ ସାଇଟ୍ରେ ଘରର ଫୋଟ ଦେଇ ବିଜ୍ଞାପନ ଦେବା ସହ ନିଜର ଠିକଣା ଓ ମୋବାଇଲ ନମ୍ବର ଦେଇଥାନ୍ତି । ଯାହାଫଳରେ ଜଣେ ଲୋକ ସହଜରେ ଘରଭଡ଼ା ପାଇପାରିବ । ହେଲେ ଏହାର ଫାଇଦା ଉଠାଉଛନ୍ତି ଓଲେକ୍ସରେ ମାତିଥିବା କିଛି ଠକ । ନିଜକୁ ମାଲିକ କହି ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ଟଙ୍କା । ଯାହାର ଶିକାର ହେଉଛନ୍ତି ନିରିହ ଲୋକେ । ସେହିଭଳି ପୁରୀ ଜିଲ୍ଲାର ସୁନିଲ କୁମାର ମହାନ୍ତି ନାମକ ବ୍ୟକ୍ତି ଓଲେକ୍ସ ସାଇଟରେ ସହିଦନଗର ଅଞ୍ଚଳରେ ଏକ ଘରଭଡ଼ା ଖୋଜୁଥିଲେ । ଏହି ସମୟରେ ସାଇଟରୁ ଜଣେ ତନ୍ମୟ ନାମକ ଘର ମାଲିକର ନମ୍ବର ପାଇ ତାଙ୍କ ସହ ଫୋନରେ କଥା ହୋଇଥିଲେ । ପରେ ତନ୍ମୟ ଫୋନ କନଫରେନ୍ସରେ ଚନ୍ଦନ ବେହେରା ନାମକ ମାଲିକଙ୍କ ସହ କଥା କରାଇଥିଲେ । କଥା ବେଳେ ସେ ନିଜକୁ ଜଣେ ହାଇକୋର୍ଟର ଆଇନଜୀବୀର ପରିଚୟ ଦେବାସହ ସେ ଘରଭଡ଼ା ବାବଦକୁ ଆଡଭାନ୍ସ ପଠାଇବାକୁ କହିଥିଲେ । ଏହାସୁଣି ଅଭିଯୋଗକାରୀ ତାଙ୍କୁ ଘରର ଭିଡ଼ିଓ ପଠାଇବାକୁ କହିଥିଲେ । ପରେ ସେ ଘରର ଭିଡ଼ିଓ ମଧ୍ୟ ପଠାଇଥିଲେ । ଭିଡ଼ିଓ ଟି ଦେଖିବା ପରେ ଅଭିଯୋଗକାରୀ ୟୁପିଆଇ ଦ୍ୱାରା ସେ ପ୍ରଥମେ ୨ ହଜାର ଟଙ୍କା ପଠାଇଥିଲେ । ଘରଭଡ଼ା ୯ ହଜାର ରହିଥିବାରୁ ପୁଣି ୭ ହଜାର ଟଙ୍କା ପଠାଇବାକୁ କହିଥିଲେ । ପଣେ ଅଭିଯୋଗକାରୀ ୭ ହଜାର ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ସେ ୨ ତାରିଖ ସନ୍ଧ୍ୟାରେ ସହିଦନଗର ଠାରେ ଥିବା ଘରକୁ ଦେଖିବାକୁ କହିଥିଲେ । ଫଳରେ ଘର ମାଲିକ ତାଙ୍କୁ ବାଣୀବିହାର ଛକକୁ ଆସି କଲ କରିବାକୁ କହିଥିଲେ । କଥାରଖି ଅଭିଯୋଗକାରୀ ବାଣୀବିହାର ଛକୁକୁ ଆସି କଲ କରିବାରୁ ଘର ମାଲିକଙ୍କ ମୋବାଇଲ ଅଫ୍ ରହିଥିଲା ଏବଂ ୟୁପିଆଇରେ ଟଙ୍କା ପଠାଇଥିବା ନମ୍ବର ମଧ୍ୟ ଅଫ୍ ରହିଥିଲା । ଯାହାଫଳରେ ଅଭିଯୋଗକାରୀ ସହିଦନଗର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇ ଯାଣିବାକୁ ପାଇଥିଲା ଟଙ୍କା ପଠାଇଥିବା ମାଲିକ ହେଉଛି ଫେକ୍ । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ଠକେଇ ମାମଲା ରହିଅଛି । ଏମାନଙ୍କ କୌଣସି ଘର ନାହିଁ । ଏମାନେ ଓଲେକ୍ସରେ ଫେକ୍ ବିଜ୍ଞାପନ ଦେଖ ଲୋକଙ୍କ ଠାରୁ ଲୁଟିଥାନ୍ତି । ଏନେଇ ପୁଲିସ ମାମଲା ରୁଜୁକରି ଆଜି ୨ ଜଣ ଠକଙ୍କୁ ଯାଜପୁରରୁ ଗିରଫ କରିଛି ।