ଖଣି ମାଫିଆଙ୍କ ପ୍ରେମରେ ପୁଲିସ୍ ବାବୁ : କଡ଼ା ଚେତାବନୀ ଦେଲେ ଡିଜି
ODISHA DGP

ଭୁବନେଶ୍ୱର : ଖଣି ମାଫିଆଙ୍କ ପ୍ରେମରେ ପୁଲିସ ବାବୁମାନେ ଉବୁଟୁବୁ ହେଉଛନ୍ତି । ନିଜ କାମଦାମ ଛାଡ଼ି ସେମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । କିଏ ଖଣି ଚୋରା ପରିବହନରେ ସହଯୋଗ କରୁଛି ତ ଆଉ କିଏ ମାଫିଆଙ୍କ ସ୍ୱାର୍ଥ ପାଇଁ ଦିନରାତି ଏକ କରି ଦେଉଛନ୍ତି । ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟିହୋଇଛି । ଅତୀତରେ ଏଭଳି ଗଦାଗଦା ଅଭିଯୋଗ ଓ ଖବର ଆସୁଥିବାବେଳେ ଏବେ ପୁଲିସ ଡିଜି ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ସେଭଳି ପୁଲିସ ବାବୁମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।
ଗତ ୨୪ରେ ଚିଠି ନମ୍ବର ୧୧୦/ଏଡ଼ିଜିପି (ଆଇନଶୃଙ୍ଖଳା)ଙ୍କ ପତ୍ରକୁ ଅନୁଶୀଳନ କଲେ ପୁଲିସ-ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା କଥା ସତ ବୋଲି କୁହାଯାଇପାରିବ । ଏଡ଼ିଜିଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଏସପି ଓ ଡିଏସପିଙ୍କୁ ପତ୍ର ଲେଖାଯାଇଛି । ୭ ଧାଡ଼ିର ଏହି ପତ୍ରଟି ଅନେକ ଦିଗକୁ ଇଙ୍ଗିତ କରୁଛି । ସେଥିରେ ଉଲ୍ଳେଖ ରହିଛିଯେ, କେତେକ ପୁଲିସ ଅଧିକାରୀ ଅଣପୋଲିସ୍ କାମ କରୁଛନ୍ତି । ବିଶେଷକରି ଖଣି ଓ ଶିଳ୍ପ ଅଞ୍ଚଳରେ ପରିବହନ ଓ ଅନ୍ୟ ଅନଧିକୃତ କାର୍ଯ୍ୟାବଳୀରେ ମନୋନିବେଶ କରୁଛନ୍ତି । ଯାହାକୁ ନେଇ ପୁଲିସ ଡିଜି ଉଦବେଗ ପ୍ରକାଶ କରିବା ସହ ତାହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏଭଳି କରିବା ଦ୍ୱାରା ପୁଲିସ୍ ନିଜ ଦାୟିତ୍ୱ ଠାରୁ ଦୂରେଇ ଯାଉଛି । ଆଗାମୀ ଦିନରେ ଯେଉଁ ପୁଲିସ ଅଧିକାରୀମାନେ ଏଭଳି କାମରେ ସଂପୃକ୍ତ ରହିବେ ବା କିଛି ବ୍ୟକ୍ତିବିଶେଷଙ୍କୁ ଅନୁଗ୍ରହ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଫିଲ୍ଡ ଅଫିସରମାନେ ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଡ଼ିିଜିଙ୍କ ଏହି ଚିଠି ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ମାଫିଆଙ୍କ ସହ ସମ୍ପର୍କ ରଖିଥିବା ପୁଲିସ ବାବୁମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।