ବିଜେଡ଼ିକୁ କଡ଼ା ଜବାବ ଦେଲା ବିଜେପି

Odisha BJP

ବିଜେଡ଼ିକୁ କଡ଼ା ଜବାବ ଦେଲା ବିଜେପି

‘ରାଜନୀତି ପାଇଁ ବିରୋଧୀଙ୍କୁ ଟାର୍ଗେଟ୍‌ କରୁଥିଲେ ନବୀନ’

 ପ୍ରତାପ ଜେନା,  ବିଜୟ ଶଙ୍କର ଦାସ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ଶ୍ରୀକାନ୍ତ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ ?

ଭୁବନେଶ୍ୱର : ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍‌ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଏହାକୁ ନେଇ ବିଜେଡ଼ି ରାଜନୀତି ତାୱାରେ ରୁଟି ସେକିବାରେ ଲାଗିଛି  । ଯାହାର କଡ଼ା ଜବାବ ଦେଇଛି ବିଜେପି  ।ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତିଯେ, ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନେବେ  । ମାତ୍ର ବିଜେଡିର ଯେଉଁ ନେତାମାନେ ଏହି ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି  ସେମାନେ ଶାସନରେ ଥିଲାବେଳେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି  ।
ସେକହିଛନ୍ତି ଯେ, ମାହାଙ୍ଗା ଟ୍ରିପଲ୍‌ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ  । ସେତେବେଳେ ସରକାର ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଥିଲେ  । ତତ୍କାଳୀନ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ କୋର୍ଟ ଦୋଷୀ ବୋଲି କହିଥିଲା  । ମାତ୍ର ବିଜେଡି ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା  । ସେହିପରି ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତେ୍ୱ ବିଜେଡି ସରକାର ଚୁପ୍‌ ବସିଥିଲେ  । କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ସଙ୍ଗୀନ ମାମଲା ଥିଲେ ମଧ୍ୟ ବିଜେଡି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା  । ଖବରରେ ରହିବା ପାଇଁ ବିଜେଡ଼ି ନେତାମାନେ ନିଜ ଅପରାଧିକ ଘଟଣାକୁ ମନେପକାଇ ବିଳିବିଳି ହେଉଛନ୍ତି  । ବିଜେଡି ସରକାର ରାଜନୈତିକ ଅଭିସନ୍ଧି ରଖି ବହୁ ବିରୋଧୀ ଦଳର ନେତା ଓ ସୂଚନା ଅଧିକାର କର୍ମୀମାନଙ୍କୁ ହଇରାଣ କରୁଥିଲେ  । ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ନୀରବ ପ୍ରତିମୂର୍ତ୍ତି ସାଜିଥିଲେ  । ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଏହାକୁ କାର୍ଯ୍ୟରେ କରି ଦେଖାଇବ  । ଏହା ହେଉଛି ଲୋକଙ୍କ ସରକାର  । ତେଣୁ ଆଇନ ଉପରେ ଭରସା ରଖିବାକୁ ଶ୍ରୀ ମଲ୍ଲିକ କହିଛନ୍ତି  ।