ବିବାହିତ ଝିଅଙ୍କୁ ବି ମିଳିବ ଅନୁକମ୍ପା ନିଯୁକ୍ତି
Odisha Cabinet
ଭୁବନେଶ୍ୱର : କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅବିବାହିତା ଝିଅ ଓ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିଚାର କରାଯାଉଛି । ହେଲେ ବିବାହିତା ଝିଅ କିମ୍ବା ବିବାହିତା ସାବତ ଝିଅଙ୍କୁ ବିଚାରକୁ ନିଆଯାଉନାହିଁ । ତେଣୁ ପିତାମାତାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ କିମ୍ବା ସାବତ ଝିଅ ବାହା ହୋଇଥିଲେବି ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ଲଗାଇଛନ୍ତି । ଏସଂକ୍ରାନ୍ତରେ ଆଇନରେ କେତେକ ସଂଶୋଧନ ଅଣାଯିବ ।
ରାଜ୍ୟର ୟୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ସମସ୍ତ ‘ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ସଂରକ୍ଷଣ ରହିବ । ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।