ଗୃହରେ ‘ଧାନମଣ୍ଡି’ ତାତି : ଧାନ କୁଇଣ୍ଟାଲ ୩୧୬୯ ହେଉ : ବିରୋଧୀ
- ପୂର୍ବାପେକ୍ଷା କଟନୀ ଛଟନୀ କମିଛି : ବିଜେପି
- ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ହୋଇଛି ମନ୍ତ୍ରୀ କମିଟି : କୃଷ୍ଣଚନ୍ଦ୍ର
ଭୁବନେଶ୍ୱର : ନଭେମ୍ବରରୁ ଧାନ କିଣା ହୁଏ । ହେଲେ ଡିସେମ୍ବର ମାସ ଆରମ୍ଭ ହେଲାଣି, ତଥାପି ଧାନ ସଂଗ୍ରହ ହୋଇନି । ଧାନ ଅମଳ କରି ଚାଷୀ କେଉଁଠି ରଖିବ । ସରକାର ତୁରନ୍ତ ଧାନ ମଣ୍ଡି ଖୋଲନ୍ତୁ । ଧାନର ଏମଏସପି କେନ୍ଦ୍ର ସରକାର ୬୯ ଟଙ୍କା ବଢ଼ାଇଛନ୍ତି । ତେଣୁ ସରକାର ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଦିଅନ୍ତୁ । ବିରୋଧୀ ଦଳ ପକ୍ଷରୁ ଏହି ଦାବି କରାଯାଇଛି ।
ଅପରପକ୍ଷରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ସରକାର ୩୧ ଶହ ଟଙ୍କା ଦେବେ ବୋଲି କହିଥିଲେ । ତାହା ଦିଆଯିବ । ମଣ୍ଡିକୁ ବ୍ୟବସ୍ଥିତ କରାଯାଇଛି । ଟୋକନ ଲାପ୍ସ ସଂଖ୍ୟା ହ୍ରାସ ପାଇଛି ବୋଲି ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।ବିଜେଡି ପକ୍ଷରୁ ‘ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟରେ ଚାଲୁଛି ମଣ୍ଡି, ଧାନ କିଣା ପ୍ରକିୟାରେ ତ୍ରୁଟି ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଲେଯେ, ପୂର୍ବରୁ ନଭେମ୍ବର ମାସରୁ ଧାନ ସଂଗ୍ରହ କରାଯାଇଥିଲା । ଗୋଟିଏ ମାସ ଅଧିକ ହୋଇଥିଲେ ମଧ୍ୟ ଧାନ ସଂଗ୍ରହ ହେଲାନି । ଚାଷୀ ଧାନ ସଂଗ୍ରହ କରି ସାଇତି ରଖିବା ସମ୍ଭବ ନୁହେଁ । ଚାଷୀ ଋଣ କରି, ତା’ର ସବୁ ଟଙ୍କା ଲଗାଇ, ଧାନ ଚାଷ କରିଥାଏ । ଧାନ ବିକ୍ରି କଲେ, ଚାଷୀ ଋଣ ଶୁଝେ । ବରଗଡ଼ର ୫ ହଜାର ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି । ସେମାନେ ଏବେ ଧାନ ବିକ୍ରି କଲେ କେମିତି ? ସରକାର ପଞ୍ଜିକରଣ ପ୍ରକ୍ରିୟାକୁ ଜଟିଳ କରିଛନ୍ତି । ଜମିର ସମସ୍ତ ଅଂଶୀଦାରଙ୍କ ନାଁ ପଞ୍ଜିକରଣ ହେଲେ ଯାଇ ଚାଷୀ ଧାନ ବିକ୍ରି କରିପାରିବେ । ପରିବାରର ଅନ୍ୟ ସଦସ୍ୟମାନେ ବାହାରେ ଥିଲେ ଏହା ସମ୍ଭବ ହୋଇପାରୁନି । ସବୁ ମିଲରମାନେ ବ୍ୟାଙ୍କ ଗ୍ୟାରେଣ୍ଟି ିଏବେ ବି ଦେଇନାହାଁନ୍ତି । ଏଫସିଆଇ ସବୁ ଚାଉଳ ଉଠାଇନି, ଡବଲ ଇଞ୍ଜିନ ସରକାର ଏଫସିଆଇକୁ ଚାପ ପକାନ୍ତୁ । ଯେଉଁ ମିଲରକୁ ଧାନ ସଂଗ୍ରହ ଲାଗି ଅନୁମତି ଦିଆଯାଇଛି ସେମାନଙ୍କ ଷ୍ଟକ ଯାଞ୍ଚ କରନ୍ତୁ । ଗତବର୍ଷ ଖରିଫରେ ୯୦% ଓ ରବିରେ ୧୧% ଏଫସିଆଇ ଚାଉଳ ଉଠାଇଛି । ବଳକା ଚାଉଳ ମିଲର ନା ଏଫସିଆଇ କିଏ ନେଲା ? ବର୍ତ୍ତମାନ ଅଭାବୀ ବିକ୍ରି ଆରମ୍ଭ ହୋଇଗଲାଣି । ଧାନର ଏମଏସପି ୨୩ ଶହ ଓ ଇନପୁଟ ସବସିଡ ୮୦୦ ଟଙ୍କାକୁ ମିଶାଇ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି ସରକାର । ତେବେ ଭାରତ ସରକାର ଧାନ କ୍ୱିଣ୍ଟାଲ ପିଛା ଏମଏସପି ୬୯ ଟଙ୍କା ବୃଦ୍ଧି କରିଛନ୍ତି ଏହି ବର୍ଦ୍ଧିତ ଟଙ୍କାକୁ ରାଜ୍ୟ ସରକାର ଚାଷୀଙ୍କୁ ଦେବାକୁ ସେ ଦାବି କରିଥିଲେ । ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ଯେଉଁ ବ୍ୟକ୍ତି କଟନୀ ଛଟନୀ କରିବ, ସେମାନଙ୍କ ପାଇଁ ଜେଲରେ ରୁମ ବୁକ୍ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ । ହେଲେ ଏବେ ବି କଟନୀ ଛଟନୀ ଚାଲିଛି । କେତେ ଲୋକଙ୍କୁ ଜେଲରେ ପୂରାଇଲାଣି । ଠନଠନ ଏଫଏକ୍ୟୁ ଧାନ ଆଣିଲେ ଠନଠନ ୩୧୬୯ ଟଙ୍କା ସରକାର ଦେବେ କି ? ବିଧାୟକ ପ୍ରଦୀପ ଦିଶାରୀ ବି ଆଲୋଚନାରେ ଭାଗ ନେଇଥିଲେ ।
କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେ, ସବୁ ମଣ୍ଡିରେ ଆନାଲାଇଜର ମେସିନ ନାହିଁ । ଯେଉଁଠି ଆନାଲାଇଜର ମେସିନ ଦ୍ୱାରା ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ ହୋଇପାରୁନି, ମିଲରମାନେ ସେଠାରେ କଟନୀ ଛଟନୀ କରୁଛନ୍ତି । ବହୁ ସମୟରେ ଗାଡ଼ି ଓ ଧାନ ସଂଗ୍ରହ ପାଇଁ ବସ୍ତାର ଅଭାବ ଯୋଗୁ ଟୋକନ ଲାପ୍ସ ହୋଇଯାଉଛି । ଏବର୍ଷ ଧାନର ଏମଏସପି ୬୯ ଟଙ୍କା ବଢ଼ିଥିବାରୁ ଚାଷୀଙ୍କୁ ସରକାର ୩୧୬୯ ଟଙ୍କା ଦେବାକୁ ସେ କହିଥିଲେ । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଲେ, ବିଗତ ସରକାରରେ ଚାଷୀଙ୍କୁ ଅଣଦେଖା କରାଯାଉଥିଲା । କଟନୀ ଛଟନୀ ପୂର୍ବରୁ ଚାଲୁଥିଲା, ଏ ସରକାରରେ କମିଛି । ୨୪ ବର୍ଷରେ ମଣ୍ଡିରେ କଳା ବିଷ ଭରିଥିଲେ । ବିଜେଡି ଚାଷୀଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛି । ବିଧାୟକ ସନତ ଗଡ଼ତିଆ, ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆଲୋଚନାର ଉତ୍ତର ରଖି ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେଯେ, ରାଜ୍ୟର ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୪,୧୧୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନଙ୍କୁ ନେଇ ଏକ ଉପକମିଟି ଗଠନ କରାଯାଇଛି । ଚାଷୀଙ୍କ ଧାନ ବିକିବା ସମୟରେ ଯେଉଁ ସମସ୍ୟା ହେବ, ଏହି କମିଟି ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସରକାର କଥା ଦେଇ କଥା ରଖିଛନ୍ତି । ଜୁଲାଇ ୧୯ରୁ ଅଗଷ୍ଟ ୧୯ ଯାଏ ଚାଷୀ ନାମ ପଞ୍ଜିକରଣ କରିଥିଲେ। ୨୦୨୫-୨୬ ବର୍ଷରେ ଖରିଫରେ ୧୯.୮୦ ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ବେଳେ ବିଗତ ବର୍ଷ ତୁଳନାରେ ତାହା ୧୨% ଅଧିକ । ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଭାବେ ଚାଲିଛି । ଅଦିନିଆ ବର୍ଷା ଯୋଗୁ ଧାନ ସଂଗ୍ରହରେ ବିଳମ୍ବ ହୋଇଥିଲା । ଏପର୍ଯ୍ୟନ୍ତ ୨ ଲକ୍ଷ ୯୪ ହଜାର ୫୬୯ ଜଣଙ୍କୁ ଟୋକନ ଦିଆଯାଇଛି । କଟନୀ ଛଟନୀ ବନ୍ଦ ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।