କିଏ ହେବେ ପିସିସି ସଭାପତି : ମୋକିମ୍ ନା ଭକ୍ତ
Odisha Congress

ଭୁବନେଶ୍ୱର : କିଏ ହେବେ ପିସିସି ସଭାପତି ? ତାହାକୁ ନେଇ କଂଗ୍ରେସ ଭବନରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କ ଭିତରେ ଏବେ ପିସିସି ଲଢେ଼ଇ ଆରମ୍ଭ ହୋଇଯାଇଛି । ମୋକିମ୍ ଗତ ନିର୍ବାଚନରେ ଲଢ଼ିନଥିବାବେଳେ ତାଙ୍କ ଝିଅ ଏବେ ବିଧାୟିକା ଅଛନ୍ତି । ସେପଟେ ଭକ୍ତ ନିର୍ବାଚନ ହାରିଥିବାବେଳେ ତାଙ୍କ ପୁଅ ସାଗର ଦାସ ଏବେ ବିଧାୟକ ଅଛନ୍ତି ।
‘ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡ଼ଗେ । କଂଗ୍ରେସ ହାଇକମାଣ୍ଡ ଯାହାଙ୍କୁ କହିବେ ସେ ପିସିସି ସଭାପତି ହେବେ । ଆମେ ସମସ୍ତେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମର୍ଥନ କରିବୁ । ଏକାଠି ହୋଇ କାମ କରିବୁ ।’ ଶୁଆ ଘୋଷିବା ଭଳି ପ୍ରତିଥର ଭଳି ଏଥର ମଧ୍ୟ କଂଗ୍ରେସ ନେତାମାନେ ଏଭଳି ସଂକଳ୍ପ କରିଛନ୍ତି । ହାତ କାଟି ଲେଖି ଦେଇଛନ୍ତି । ତଥାପିବି କଂଗ୍ରେସ ଭବନରେ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲିନାହାନ୍ତି ।
ପିସିସି ସଭାପତି ବାଛିବା ପାଇଁ ଛତିଶଗଡ଼ ବିଧାନସଭାର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓଡ଼ିଶା ଆସିଛନ୍ତି । ତାଙ୍କ ସହ ଆସିଛନ୍ତି ମୀନାକ୍ଷୀ ନଟରାଜନ୍ ଓ ମହମ୍ମଦ ସାହାନାଜ ଚୌଧୁରୀ । କଂଗ୍ରେସ ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ପରେ କବାଟକିଳା ଆଲୋଚନା ହୋଇଥିଲା । ପ୍ରଥମେ ବରିଷ୍ଠ ନେତା ଓ ଷ୍ଟିୟରିଂ କମିଟି ସଭ୍ୟମାନେ ଆଲୋଚନା କରି ହାଇକମାଣ୍ଡଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ବୋଲି ଲିଖିତ ହଲପନାମା କରିଥିଲେ । ପରେପରେ ଜିଲ୍ଲା ସଭାପତିଙ୍କ ସହ ବି ଆଲୋଚନା ହେଲା । କିଛି ନେତା କହିଥିଲେ, ୱାନଟୁ ୱାନ୍ ଆଲୋଚନା କରିବାକୁ । ସେହି ଅନୁସାରେ ଜଣଙ୍କ ପରେ ଜଣେ ନେତା ଏଆଇସିିସି ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ । କିଏ ହେଲେ ଭଲ ହେବବୋଲି କହିବା ଆଳରେ ନିଜ କଥା ବି କହିବାକୁ ଭୁଲିନଥିଲେ ।
ପିସିସି ସଭାପତି ପାଇଁ ଆଶାୟୀ ନେତାମାନେ ଆଜି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ମହମ୍ମଦ ମୋକିମ ନିଜ ସମର୍ଥକଙ୍କ ସହ ନାରାବାଜି କରି କଂଗ୍ରେସ ଭବନ ଆସିଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ଆଉ ୫ ବିଧାୟକଙ୍କ ସହ ଆସିଥିବାବେଳେ ଶ୍ରୀକାନ୍ତ ଜେନା କିନ୍ତୁ ଏକୁଟିଆ ଆସିଥିଲେ । ସେହିପରି ନିରଞ୍ଜନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ଯୁବ ଚେହେରାକୁ ଗୁରୁତ୍ୱ ଦେବାକୁ କହିଥିଲେ ।