ଉପାନ୍ତ ଅଞ୍ଚଳରେ ଦେବଦୂତ ସାଜିଛନ୍ତି ପୁଷ୍ପାଞ୍ଜଳି


ନୂଆପଡାରୁ  ପରମେଶ୍ୱର ବାରିକ 

ମାନବ ସେବା ହଁ ମାଧବ ସେବା ଏହାକୁ ମର୍ମେ ମର୍ମେ ବୁଝିଛନ୍ତି ପୁଷ୍ପାଞ୍ଜଳୀ । ସେଥିପାଇଁ ତ ଉପାନ୍ତ ବଣ ଜଙ୍ଗଲ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ସେବା ଓ ସମର୍ପଣ ଭାବର ଅର୍ଘ୍ୟ ଢାଳୁଛନ୍ତି । ଅଳ୍ପ କିଛି ସରକାରଙ୍କ ଠାରୁ ଦରମା ପାଉଥିଲେ ବି ଦରମା ଠାରୁ ପରିଶ୍ରମର ପଟ୍ଟାନ୍ତର ନାହିଁ । ଏହି ସେବାରେ ଏତେ ମଜି ଯାଇଛନ୍ତି ଯେ ଅଞ୍ଚଳର ଦେବଦୂତ ସାଜି ମଦର ଟେରେସା ପାଲଟି ଯାଇଛନ୍ତି । ଏଭଳି ଜଣେ ମହିୟସୀ ସରଳ ନିଷ୍କପଟ ଦରଦୀ ମହିଳା ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଘାଟମାଳ ଗ୍ରାମ ପଞ୍ଚାୟତ ସିନ୍ଦୂରଶୀଲ ଗ୍ରାମର ପୁଷ୍ପଞ୍ଜଳୀ ମେହେର । ବୟସ ୪୬ ବର୍ଷ । ଗତ ୨୦୧୬ ମସିହା ଠାରୁ ଆଶା କର୍ମୀ ଭାବରେ ଯୋଗଦାନ କରି ଉପାନ୍ତରେ ସେବା ଯୋଗାଇ ନୂତନ ଆଶା ସଞ୍ଚାର କରି ଆସୁଛନ୍ତି । ବଣ ପାହାଡ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । 
ବର୍ତ୍ତମାନ ବର୍ଷା ଋତୁ ସମୟରେ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ମଶା ମାଛି ସାଙ୍ଗକୁ ଅନେକ କୀଟପତଙ୍ଗର ପ୍ରାଦୁର୍ଭାବ ଦେଖା ଦେଇଥାଏ । ଏହାକୁ ପ୍ରତିହତ କରିବା ସହ ଲୋକଙ୍କୁ ଏହା ଉପରେ ସଚେତନ କରି ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ କହି ବୁଲୁଥିବା ଦେଖିବାକୁ ମିଳୁଛି । ଏପରିକି ଥଣ୍ଡା, କାଶ ଜ୍ୱର, ଡାଇରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବା ପାଇଁ ପ୍ରାଥମିକ ସ୍ତରରେ କିଭଳି ପଦକ୍ଷେପ ନିଆଯିବ ତା’ଉପରେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ସେହିଭଳି ଗର୍ଭବତୀ ମହିଳା, ଶିଶୁ ସମେତ ବୃଦ୍ଧ ବୃଦ୍ଧା ଜନସାଧାରଣଙ୍କୁ ବର୍ଷା ଋତୁରେ ସଂକ୍ରମଣ ହେଉଥିବା ରୋଗ ଓ ପ୍ରତିକାର ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରୁଛନ୍ତି । ଘରକୁ ଘର ବୁଲି ଲୋକଙ୍କ ଦେହ ଅସୁସ୍ଥ ହୋଇ ପଡିଲେ ତୁରନ୍ତ ଆବଶ୍ୟକୀୟ ଔଷଧ ଦେଇ ନିରାକରଣ ଦିଗରେ ସବୁବେଳେ ଦୃଷ୍ଟି ଦେଉଥିବା ସେ ପ୍ରକାଶ କରିଛନ୍ତି । ଏହି ସେବାରେ ନିଜକୁ ସମର୍ପିତ କରି ପରମ ସନ୍ତୋଷ ମିଳୁଥିବା ନେଇ କହିଥିବାବେଳେ ଅଞ୍ଚଳର ଜନସାଧାରଣ ସବୁବେଳେ ନିରୋଗୀ ରହିବା ପାଇଁ ଈଶ୍ୱରଙ୍କ ନିକଟରେ କାମନା କରୁଥିବା ମତ ପ୍ରକାଶ କରିଛନ୍ତି । କୌଣସି ବ୍ୟକ୍ତିଙ୍କୁ ଜ୍ୱର କାଶ ମୁଣ୍ଡ ବିନ୍ଧା କିମ୍ବା ଅସୁସ୍ଥ ହେଲେ ତୁରନ୍ତ ପହଞ୍ଚô ରକ୍ତ ପରୀକ୍ଷା କରିବା ପାଇଁ ପରାମର୍ଶ ଦେବା ସହ ଡାକ୍ତର ଙ୍କ ପାଖକୁ ନେଇ ଚିକିସôା କରାଇବାର ବ୍ୟବସ୍ଥା କରିଥାନ୍ତି । ଏଭଳି ଜଣେ ଉଦାରବାଦୀ ଲୋକ ସେବିକାଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ କୁହାଯାଇଛି ।