ଏଥର ନୂଆ ନେତା ବାଛିବ ବ୍ରହ୍ମଗିରି

Odisha Politics, Brahmagiri

ଏଥର ନୂଆ ନେତା ବାଛିବ ବ୍ରହ୍ମଗିରି

ଭୁବନେଶ୍ୱର : ଏକଦା ବ୍ରହ୍ମଗିରି ଥିଲା ଲୁଲୁ ମହାପାତ୍ରଙ୍କ ଗଡ଼  । କିନ୍ତୁ ପରେ ଲୁଲୁଙ୍କ ହାତରୁ ବ୍ରହ୍ମଗିରିକୁ ଛଡ଼ାଇ ଆଣିଥିଲେ ସଞ୍ଜୟ କୁମାର ଦାସବର୍ମା  । ଏବେ ସ୍ଥିତି ପୂରା ବଦଳିଯାଇଛି  । ୨୦୧୯ରେ ହାରିବା ପରେ ସଂଜୟ ବ୍ରହ୍ମଗିରିର ମୋହ ତୁଟାଇ ସତ୍ୟବାଦୀରେ ଆଶ୍ରୟ ନେଇଛନ୍ତି  । ସେପଟେ ଲୁଲୁଙ୍କ ଝିଅ ପ୍ରଥମ ଥର ପାଇଁ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି  । ବିଜେଡ଼ି ଓ ବିଜେପିର କଡ଼ା ଟକ୍କର ଭିତରେ ସ୍ଥିତି ଜାହିର କରିବାକୁ କଂଗ୍ରେସ ବି ନୂଆ ପ୍ରାର୍ଥୀ ଦେଇଛି  । ଗାଏମୋଟ ଦେଖିଲେ ବ୍ରହ୍ମଗିରିବାସୀ ନୂଆ ନେତା ବାଛିବାକୁ ଯାଉଛନ୍ତି  ।

ବ୍ରହ୍ମଗିରିର ୨୫ ବ୍ଳକ, କୃଷ୍ଣପ୍ରସାଦ ବ୍ଳକର ୨୧ ବ୍ଳକ ଓ ପୁରୀ ସଦର ବ୍ଳକର ୧୧ ପଞ୍ଚାୟତକୁ ନେଇ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି  । ଲୁଲୁଙ୍କୁ ଦୁଇ ଦୁଇଥର ହରାଇ ରାଜ୍ୟ ରାଜନୀତିର ବଡ଼ ଚେହେରା ଭାବେ ଉଭା ହୋଇଥିଲେ ସଞ୍ଜୟ  । ବିଜେଡ଼ିରେ ବି ତାଙ୍କର ଢେ଼ର ପତିଆରା ରହିଥିଲା  । ତେବେ ୨୦୧୯ରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କୁ ହରାଇ ଝଟକା ଦେଇଥିଲେ  । ଲୁଲୁଙ୍କ ସଂଗଠନ ଓ ବିଜେପିର କ୍ରେଜ ପାଇଁ ସଂଜୟଙ୍କୁ ପୁଣିଥରେ ବ୍ରହ୍ମଗିରିରୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା  । ସେହଦିନ ଠାରୁ ବ୍ରହ୍ମଗିରି ବଦଳରେ ସତ୍ୟବାଦୀ ପାଇଁ ଗୋଟି ଚଳାଇବା ଆରମ୍ଭ କରିଥିଲେ  । ଯେଉଁଥିପାଇଁ ସଂଜୟ ଓ ଉମା ସାମନ୍ତରାୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା  । ଶେଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବାରୁ ଏବେ ଉମା ବ୍ରହ୍ମଗିରି ମଇଦାନକୁ ଡେଇଁବା ପାଇଁ ବାଧ୍ୟ ହୋଇଛନ୍ତି  । ସତ୍ୟବାଦୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଉମା ଏବେ ବ୍ରହ୍ମଗିରି ପାଇଁ ନୂଆ ମୁହଁ  ।

୨୦୧୯ରେ ଲୁଲୁଙ୍କ ଝିଅ ଉପାସନାଙ୍କର ନିର୍ବାଚନ ଲଢ଼ିବା ବୟସ ହୋଇନଥିଲା  । ତେଣୁ ସେଠାରୁ ଦାଦା ଲଳିତେନ୍ଦୁ ପ୍ରାର୍ଥୀ ହୋଇ ବାଜିମାତ କରିଥିଲେ  । କିନ୍ତୁ ଚବିଶ ପାଇଁ ସେ ଦୀର୍ଘଦିନ ଧରି ଗୋଟିଚାଳନା କରିବା ସହ ଦାଦାଙ୍କୁ ବ୍ରହ୍ମଗିରି ରାଜନୀତିରୁ ଦୂରେଇ ରଖିଥିଲେ  । ପ୍ରଥମେ ବିଜେଡ଼ିରୁ ଲଢ଼ିବା ପାଇଁ ଉପାସନା ଯୋଜନା କରିଥିଲେବି ସଂଜୟଙ୍କ ପାଇଁ ସେ ଶଙ୍ଖ ଫୁଙ୍କି ପାରିନଥିଲେ  । ଫଳରେ ବାଧ୍ୟହୋଇ ସେ ବିଜେପିରୁ ଲଢ଼ିବାକୁ ଯାଉଛନ୍ତି  । ବାପାଙ୍କ ଅମଳରୁ ସେ ବ୍ରହ୍ମଗିରି ରାଜନୀତି ସହ ଜଡ଼ିତ ଥିଲେବି ନିର୍ବାଚନୀ ମଇଦାନରେ ନବାଗତ ଭାବେ ଉଭା ହୋଇଛନ୍ତି  । 

ଲୁଲୁଙ୍କ ପରେ ବ୍ରହ୍ମଗିରିରେ କଂଗ୍ରେସ ସଂଗଠନ ଦୋହଲିଯାଇଛି । ଲୁଲୁଙ୍କ ଝିଅ ସହ ପୁରୁଣା କଂଗ୍ରେସ କର୍ମୀମାନେ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି  । ଏଭଳି ସ୍ଥିତିରେ ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କଂଗ୍ରେସ ନୂଆ ଚେହେରା ମିତ୍ରଭାନୁ ମହାପାତ୍ରଙ୍କ ଉପରେ ଭରସା ରଖିଛି  ।