ବିଞ୍ଝାରପୁରରେ ମହିଳା ସଶକ୍ତିକରଣର ଝଲକ

odisha politics, Binjharpur, biju janata dal

ବିଞ୍ଝାରପୁରରେ ମହିଳା ସଶକ୍ତିକରଣର ଝଲକ

ମଇଦାନରେ ୩ ନାରୀ ନେତ୍ରୀ

ଭୁବନେଶ୍ୱର : ଓଡ଼ିଶାର ଏକମାତ୍ର ନିର୍ବାଚନମଣ୍ଡଳୀ ଭାବେ ବିଞ୍ଝାରପୁରରେ ଦେଖିବାକୁ ମିଳିଛି ମହିଳା ସଶକ୍ତିକରଣର ଝଲକ  । ଏଠାରେ ତିନି ପ୍ରମୁଖ ଦଳ ନାରୀ ନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇଛି  । ବିଜେଡ଼ିର ହେଭିୱେଟ ନେତା ପ୍ରମିଳା ମଲ୍ଲିକ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଯାଉଥିବାବେଳେ ତାଙ୍କୁ ଟକ୍କର ଦେବେ ବିଜେପି ନେତ୍ରୀ ବବିତା ମଲ୍ଲିକ ଓ କଂଗ୍ରେସ ନେତ୍ରୀ କନକଲତା ମଲ୍ଲିକ  । 

ବିଞ୍ଝାରପୁର ବ୍ଳକର ୨୯ ପଞ୍ଚାୟତ, ଦଶରଥପୁର ବ୍ଳକର ୧୫ ପଞ୍ଚାୟତକୁ ନେଇ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି  । ବିଞ୍ଝାରପୁର ଏବେ ପ୍ରମିଳା ମଲ୍ଲିକଙ୍କ ଗଡ଼ରେ ପରିଣତ ହୋଇଛି  । ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ବିଞ୍ଝାରପୁରରୁ ବିଧାୟିକା ହୋଇଥିଲେ  । ୧୯୯୫କୁ ଛାଡ଼ିଦେଲେ ସବୁ ସମୟରେ ତାଙ୍କର ବିଜୟ ଯାତ୍ରା ଜାରିରହିଛି  । ୨୦୦୦ରୁ ଲଗାତର ୫ ଥର ଜିତିଥିବା ପ୍ରମିଳାଙ୍କ ଉପରେ ପୁଣିଥରେ ବିଜେଡ଼ି ଆସ୍ଥା ପ୍ରକଟ କରିଛି  । ବହୁବାର ମନ୍ତ୍ରୀ ରହିବା ସହ ଏବେ ବାଚସ୍ପତି ମଧ୍ୟ ରହିଛନ୍ତି  । ବିଜେପି ମଧ୍ୟ ପ୍ରମିଳାଙ୍କ ବିରୋଧରେ ପୁରୁଣା ଚେହେରା ଉପରେ ଭରସା କରିଛି  । ପୁଣିଥରେ ବବିତା ତାଙ୍କୁ ଟକ୍କର ଦେବେ  । ଗତ ନିର୍ବାଚନରେ ବବିତା ପ୍ରାୟ ୫୮ ହଜାର ଭୋଟ ପାଇଥିଲେ  । ଅପରପକ୍ଷରେ କଂଗ୍ରେସ ଗତଥର ମାତ୍ର ୪ ହଜାର ଭୋଟରେ ସନ୍ତୁଷ୍ଟ ଥିବାବେଳେ ଏଥର କିନ୍ତୁ ଦଳ ଲଢୁଆ ପ୍ରାର୍ଥୀ ଦେଇଛି  । ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ବିଞ୍ଝାରପୁର ବ୍ଳକ ଅଧ୍ୟକ୍ଷା ଥିବା କନକଲତାଙ୍କୁ ଏଥର ଦଳ ଟିକେଟ ଦେଇଛି  । ଫଳରେ କଂଗ୍ରେସର ଭୋଟ ହାର ବଢ଼ିବ ବୋଲି ଆଶା କରାଯାଉଛି  । ତିନି ନାରୀ ନେତ୍ରୀଙ୍କ ମଧ୍ୟରେ ଅଭିଜ୍ଞତା, ସଂଗଠନ ଓ ପତିଆରା ଦୃଷ୍ଟିରୁ ପ୍ରମିଳା ଢେ଼ର ଆଗରେ ରହିଛନ୍ତି  । ଆଗାମୀ ନିର୍ବାଚନରେ ବବିତା ଓ କନକ ତାଙ୍କୁ କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା  ।