ସୁଭଦ୍ରାକୁ ନେଇ ଏମିତି କହିଲେ ପ୍ରଭାତୀ
PRAVATI PARIDA

ଭୁବନେଶ୍ୱର : ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ ନିମନ୍ତେ ଏକ ଅନନ୍ୟ ପ୍ରୟାସ । ଏହି ଯୋଜନାରେ କୌଣସି ଯୋଗ୍ୟ ମହିଳା ଲାଭ ପାଇବାରୁ ବଞ୍ଚିତ ହେବେ ନାହି । ଏହା ପ୍ରତାରଣା ନୁହେଁ ବରଂ ରାଜ୍ୟ ସରକାରଙ୍କ ମହିଳାମାନଙ୍କ ପ୍ରତି ପ୍ରତିବଦ୍ଧତା । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ କହିଲେଯେ, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର “ସୁଭଦ୍ରା” ନାମରେ ଏକ ପ୍ରମୁଖ ଜନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ୨୧ ବର୍ଷ ରୁ ୬୦ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ସମସ୍ତ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ । ଏଥିପାଇଁ ରାଜ୍ୟ ସରକାର ଗତ ୨୯ରେ ମାର୍ଗଦର୍ଶିକା ଜାରି କରିଛନ୍ତି । ସୁଭଦ୍ରା ହେଉଛି ଏକମାତ୍ର ଯୋଜନା ଯାହାର ମାର୍ଗଦର୍ଶିକା ଜାରି କରିବା ପୂର୍ବରୁ, ସରକାର ୧୦ ଜିଲ୍ଲାସ୍ତରୀୟ କର୍ମଶାଳା ମାଧ୍ୟମରେ ଲୋକଙ୍କ ମତାମତ ନେଇଛନ୍ତି ।
ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ । ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ ।
୨୦୧୧ ଜନଗଣନା ତଥ୍ୟ ଅନୁସାରେ ଓଡିଶାରେ ପ୍ରାୟ ୧ କୋଟି ୮ ହଜାର ମହିଳା ଉପରୋକ୍ତ ବୟସ ବର୍ଗ ମଧ୍ୟରେ ଅଛନ୍ତି । ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଉପଲବ୍ଧ ତଥ୍ୟ ଅନୁସାରେ ଓଡିଶାରେ ପାଖାପାଖି ୧ କୋଟି ୩୦ ଲକ୍ଷ ମହିଳା ୨୧ରୁ ୬୦ ବର୍ଷ ମଧ୍ୟରେ ଅଛନ୍ତି । ଏହି ଯୋଜନାରେ ୧ କୋଟିରୁ ଉର୍ଦ୍ଧ ଯୋଗ୍ୟ ମହିଳା ଲାଭ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।