ପଣ୍ଡୁଳା-ଖଣ୍ଡୁଆଳୀ ରାସ୍ତା  : ଠିକାଦାର ଲୁଟିଲେ ମାଟି;  ରାଜସ୍ୱ ହରାଇଲେ ସରକାର

ଯାଜପୁର : କିଛି ଠିକାଦାର ଏବଂ ପେଟି ଠିକାଦାରଙ୍କ ପାଇଁ କୋରେଇରେ ଚର୍ଚା ହେଉଛି, ବିଜେଡ଼ିକୁ ବଳିଗଲା ବିଜେପି ।  ବିଭାଗୀୟ ଯନ୍ତ୍ରୀଙ୍କ ସହ ହାତମିଳେଇ ଠିକାଦାର ଓ ପେଟି ଠିକାଦାର କରୁଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ଜଳ ଜଳ ହେଉ ଦିଶୁଥିବା କେଳେଙ୍କାରୀକୁ ନେଇ ଏଭଳି ଚର୍ଚା ଆଲୋଚନା ଚାଲିଛି । କହିବାକୁ ଗଲେ ଖୋଦ ବିଜେପି ଦଳର କର୍ମୀ ବି ଏଭଳି ଆଲୋଚନା କରିବା ପୂର୍ବକ ଅସନ୍ତୋଷ ପ୍ରକାଶ କରୁଥିଲେ ହେଁ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଖୋଦ କିଛି ବିଜେପି କର୍ମୀ ନାମ ପ୍ରକାଶ ନକରିବା ସର୍ତ୍ତରେ ଏହି ପ୍ରତିନିଧିଙ୍କ ସହ ଆଲୋଚନା କରି ଠିକାଦାର-ପେଟି ଠିକାଦାରଙ୍କ ପାଇଁ ସାଧାରଣରେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠୁଛି ବୋଲି କହି ପଣ୍ଡୁଳା-ଖଣ୍ଡୁଆଳୀ ରାସ୍ତା ନିର୍ମାଣରେ ଚାଲିଥିବା କେଳେଙ୍କାରୀକୁ ଉଦାହରଣ ଭାବେ ଦର୍ଶାଇଛନ୍ତି । ପଣ୍ଡୁଳା-ଖଣ୍ଡୁଆଳୀ ରାସ୍ତା ନିର୍ମାଣରେ କେଳେଙ୍କାରୀ ସର୍ବସମ୍ମୁଖରେ କରାଯାଉଛି । ୩କୋଟି ୬୦ଲକ୍ଷ ଟଙ୍କାର ଏହି ରାସ୍ତା କାର୍ଯ୍ୟ ହାତେଇଥିବା ଠିକାଦାର ନିଜେ କାମ ନକରି ଶାସକ ଦଳର ଜଣେ ପେଟି ଠିକାଦାରଙ୍କୁ ଟେକି ଦେଇଛନ୍ତି । ଆଉ ପେଟି ଠିକାଦାର ଆରମ୍ଭରୁ ହିଁ କେଳେଙ୍କାରୀକୁ କୋଳେଇ ନେଇଛନ୍ତି । ଗୋଟେ ପଟେ ବିନା ସୂଚନା ଫଳକରେ କାର୍ଯ୍ୟ କରି ଠିକାଦାର ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟପଟେ ସରକାରଙ୍କୁ ମଧ୍ୟ ଠକିବାକୁ ପଛାଇ ନାହାନ୍ତି । ରାସ୍ତାର ଉଭୟପାଶ୍ୱର୍ରୁୁ ହଜାର ହଜାର ଟି୍ରପ ମାଟି ଲୁଟିନେଇ ନିର୍ମାଣ କାର୍ଯ୍ୟରେ ଲଗାଇ ସରକାରଙ୍କ ରାଜସ୍ୱ ହାନିର କାରଣ ପାଲଟଛନ୍ତି । ଯେଉଁ ପରିମାଣର ମାଟି ରାସ୍ତାର ଉଭୟପାଶ୍ୱର୍ରୁ ତଢାଯାଇଛି ଯଦି ତାହାକୁ ଆକଳନ କରାଯାଏ, ତେବେ ଅଧକୋଟି ଟଙ୍କା ସରକାରଙ୍କୁ ହରାଇବାକୁ ପଡ଼ିଛି । ହେଲେ ନାଁ ଖଣି ବିଭାଗ ନାଁ ତହସିଲ କେହି ପାଟି ଖୋଲୁଛନ୍ତି ନାଁ ମାଟି ଲୁଟର ଆକଳନ କରୁଛନ୍ତି । ବିଜେଡ଼ି ସରକାର ବେଳେ ଯେଭଳି ବିଭାଗୀୟ ଅଧିକାରୀଙ୍କୁ କରାୟତ କରି କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିଲେ ଏବେ ବିଜେପି ସରକାରରେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ହାତକରି କେଳେଙ୍କାରୀ କରି ଚାଲିଥିବା ସମଗ୍ର କୋରେଇରେ ଆଲୋଚନା ହେଉଛି । ପ୍ରକାଶ ଥାଉକି   ଚଳିତ ମାସ ୬ତାରିଖରେ କୋରେଇ ବିଧାୟକ ଆକାଶ ଦାସନାୟକ କରକମଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ପଣ୍ଡୁଳା ଛକ ଠାରୁ ଖଣ୍ଡୁଆଳୀ ଉଚ୍ଚ ବିଦ୍ୟାଳୟ ରାସ୍ତା ଶିଳାନ୍ୟାସ ହୋଇଥିଲା ।