ମନ୍ଦିରକୁ ଦାନରେ ମିଳିଲା ରୋବୋଟିକ୍‌ ହାତୀ

 କେରଳର ତ୍ରିଶୂର ଜିଲାସ୍ଥିତ କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିରକୁ ପ୍ରାଣୀ ସୁରକ୍ଷା ସଙ୍ଗଠନ ପେଟା ଇଣ୍ଡିଆ ଓ ବ୍ରିଟିଶ୍‌ ଆମେରିକୀୟ ସଙ୍ଗୀତଜ୍ଞ ତଥା ସିତାର ବାଦକ ଅନୁଷ୍କା ଶଙ୍କରଙ୍କ ପକ୍ଷରୁ ଏକ ରୋବୋଟିକ୍‌ ଯାନ୍ତ୍ରିକ ହାତୀ ଦାନରେ ଦିଆଯାଇଛି। ଏହି କୃତ୍ରିମ ହାତୀ ଦ୍ୱାରା ମନ୍ଦିରରେ ହେଉଥିବା ବିଭିନ୍ନ ପାରମ୍ପରିକ ରୀତିନୀତିକୁ ଅଧିକ ମାନବୀୟ ତଥା ଆଧୁନିକ କରିବା ପାଇଁ ପେଟା ଇଣ୍ଡିଆ ଲକ୍ଷ୍ୟ ରଖିଛି। ପାରମ୍ପରିକ ରୀତିନୀତି ନାମରେ କେରଳର ଅନେକ ମନ୍ଦିରରେ ହାତୀମାନଙ୍କୁ ଉପରେ ଅତ୍ୟାଚାର ହେଉଥିବା ନେଇ ପୂର୍ବରୁ ପେଟା ଇଣ୍ଡିଆ କହିଆସିଛି। କୋମ୍ବରା କନ୍ନନ ନାମକ ଯାନ୍ତ୍ରିକ ହାତୀର
ମନ୍ଦିରକୁ ଦାନରେ ମିଳିଲା…
ଉଚ୍ଚତା ୩ ମିଟର ହୋଇଥିବାବେଳେ ଏହାର ଓଜନ ୮୦୦ କିଲୋଗ୍ରାମ୍‌ ରହିଛି। ମନ୍ଦିରରେ ଜୀବନ୍ତ ହାତୀଙ୍କ ବିକଳ୍ପ ଭାବରେ କୋମ୍ବରା କନ୍ନନକୁ ବ୍ୟବହାର କରାଯିବ ବୋଲି ପେଟା ଇଣ୍ଡିଆ କହିଛି। ପେଟା ଇଣ୍ଡିଆ ଅନୁଯାୟୀ, କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିର ସମେତ କେରଳର ଅନେକ ମନ୍ଦିରରେ ବିଭିନ୍ନ ପାରମ୍ପରିକ ରୀତିନୀତି ପାଇଁ ହାତୀମାନଙ୍କୁ ବଳପୂର୍ବକ ଅମାନବୀୟ ବ୍ୟବହାର କରାଯାଇଥାଏ। ଫଳରେ ହାତୀମାନେ ମନ୍ଦିରରେ ବିଭିନ୍ନ ଯନ୍ତ୍ରଣାର ସହ ରହିଥାନ୍ତି। ତେଣୁ ହାତୀ ସୁରକ୍ଷା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ପେଟା ଇଣ୍ଡିଆ କହିଛି।
ରୋବୋଟିକ ହାତୀ କୋମ୍ବରା କନ୍ନନ ରବର, ଫାଇବର, ଧାତୁ, ଷ୍ଟିଲ ଆଦିରେ ନିର୍ମିତ। ଏହା ଦେଖିବାକୁ ଅବିକଳ ଏକ ଜୀବନ୍ତ ହାତୀ ପରି। ଏହି ଯାନ୍ତ୍ରିକ ହାତୀ ନିଜର ମୁଣ୍ଡ, କାନ, ଆଖି ଏବଂ ଲାଞ୍ଜ ହଲାଇବାକୁ ସକ୍ଷମ। ଜୀବନ୍ତ ହାତୀମାନଙ୍କ ପରି ଏହା ନିଜ ଶୁଣ୍ଢ ମଧ୍ୟ ଉଠାଇ ପାରିଥାଏ। ମନ୍ଦିରର ବିଭିନ୍ନ ରୀତିନୀତି ଅନୁଯାୟୀ, କୋମ୍ବରା କନ୍ନନ ନିଜ ଶୁଣ୍ଢ ସାହାଯ୍ୟରେ ଜଳ ଛିଞ୍ଚି ପାରିଥାଏ ବୋଲି ପେଟା ଇଣ୍ଡିଆ କହିଛି। ସେହିପରି ଚକ ସାହାଯ୍ୟରେ ଏହି ରୋବୋଟିକ ହାତୀ ଚାଲି ମଧ୍ୟ ପାରେ, ଯାହା ସାହାଯ୍ୟରେ ସେ ମନ୍ଦିରର ବିଭିନ୍ନ ସମାରୋହ ଏବଂ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇପାରିଥାଏ। କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିରର ଅଧ୍ୟକ୍ଷ ରବି ନମ୍ବୁଥୀରୀ କହିଛନ୍ତି, ‘କୋମ୍ବରା କନ୍ନନକୁ ସ୍ବାଗତ କରି ଆମେ ଅତ୍ୟନ୍ତ ଆନନ୍ଦିତ। ପର୍ବପର୍ବାଣି ସମୟରେ ପ୍ରକୃତରେ ଜୀବନ୍ତ ହାତୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ସେମାନଙ୍କ ପାଇଁ ନିର୍ଦ୍ଦୟତା ସଦୃଶ ହୋଇଥାଏ। ପେଟା ଇଣ୍ଡିଆ ଦେଇଥିବା ଏହି ଯାନ୍ତ୍ରିକ ହାତୀ ମନ୍ଦିରର ପରମ୍ପରାକୁ ବଜାୟ ରଖିବା ସହ ପ୍ରାଣୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରୁଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ, କେରଳର ପଞ୍ଚମ ମନ୍ଦିର ଏବଂ ତ୍ରିଶୂର ଜିଲାର ଦ୍ୱିତୀୟ ମନ୍ଦିର ଭାବେ କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିର ନିଜର ରୀତିନୀତି ପାଇଁ ପେଟା ଇଣ୍ଡିଆର ଯାନ୍ତ୍ରିକ ହାତୀ ପଦକ୍ଷେପକୁ ଗ୍ରହଣ କରିଛି।