ରାହୁଲ ଗାନ୍ଧୀଙ୍କୁ ମୋହନଙ୍କ ୧୦ ପ୍ରଶ୍ନ
Rahul Gandhi, Mohan Charan Majhi
ଭୁବନେଶ୍ୱର : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଂଗ୍ରେସ ସବୁବେଳେ ଦେଶର ସୁରକ୍ଷା ଓ ସ୍ୱାର୍ଥକୁ ବିପଦରେ ପକାଇ ଆସିଛି । ଜାମ୍ମୁକାଶ୍ମୀର ନିର୍ବାଚନ ପାଇଁ ନାସନାଲ କନଫେରେନ୍ସ ସହ କଂଗ୍ରେସର ମେଣ୍ଟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶ୍ନ ଉଠାଇଛନ୍ତି । ସେ ୧୦ଟି ପ୍ରଶ୍ନ ପଚାରିବା ସହ ରାହୁଲ ଗାନ୍ଧୀ ଦେଶବାସୀଙ୍କ ନିକଟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତିଯେ, “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ” ! କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏ ନାହିଁ । ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି କହିବା ସହିତ ୧୦ ଟି ପ୍ରଶ୍ନ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
“ଏକ ଦେଶ ଦୋ ନିଶାନ” ! ଜାମ୍ମୁ ଓ କାଶ୍ମୀରରେ ପୃଥକ ପତାକା ପାଇଁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ ସମର୍ଥନ କରୁଛି କି? ଜାମ୍ମୁ ଓ କାଶ୍ମୀରବାସୀଙ୍କ ସହ କଥାବାର୍ତା ହୋଇ ଶାନ୍ତି ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତ୍ରୁ ପାକିସ୍ଥାନ ସହ କଥାବାର୍ତା କରି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି ? ପାକିସ୍ଥାନ ସହିତ ବାଣିଜ୍ୟ ଆରମ୍ଭ କରିବା ଆଳରେ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପର ପ୍ରୋତ୍ସାହନକୁ କଂଗ୍ରେସ ସମର୍ଥନ କରୁଛି କି ? ଏହାଦ୍ୱାରା ସ୍ଥାନୀୟ ଇକୋସିଷ୍ଟମ ପ୍ରଭାବିତ ହେବ ନାହିଁ କି ? ଆତଙ୍କବାଦୀ ଓ ପଥର ମାଡ କାର୍ଯ୍ୟରେ ସଂପୃକ୍ତ ଲୋକ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସରକାରୀ ଚାକିରୀ ଦେବା ନାସନାଲ କନଫରେନ୍ସର ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବାର ଚକ୍ରାନ୍ତ କରାଯାଉଛି । ଦଳିତ, ଗୁଜ୍ଜର, ବକରବାଲ ଓ ପାହାଡ ଅଂଚଳ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛି ନ୍ୟାସନାଲ କନଫରେନ୍ସ । ଏହାକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ‘ଶଙ୍କରାଚାର୍ଯ୍ୟ ପର୍ବତ’କୁ ‘ତକ୍ତ-ଏ-ସୁଲେମାନ’ ଏବଂ ‘ହରି ପର୍ବତ’କୁ ‘କୋହ-ଏ-ମାରନ’ ନାମରେ ପରିଣତ କରିବାର ନ୍ୟାସନାଲ କନଫରେନ୍ସର ଚକ୍ରାନ୍ତକୁ କଂଗ୍ରେସ ଦଳର ସମର୍ଥନ ରହିଛି କି ? ଜାମ୍ମୁ-କାଶ୍ମୀରର ଅର୍ଥ ବ୍ୟବସ୍ଥାକୁ ପୁନର୍ବାର ଦୁର୍ନୀତି ମଧ୍ୟକୁ ଠେଲି ଦେଇ ଏକ ପାକିସ୍ଥାନ ସମର୍ଥିତ ଏକ ନିର୍ଦ୍ଦିଷ୍ଟ ପରିବାରକୁ ହସ୍ତାନ୍ତର କରିବା ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଜାମ୍ମୁ ଏବଂ ଘାଟି ଅଂଚଳବାସିନ୍ଦାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି କି କଂଗ୍ରେସ? ଜାମ୍ମୁ ଓ କାଶ୍ମୀରକୁ ସ୍ୱାୟତ୍ୱତା ପ୍ରଦାନ କରି ନ୍ୟାସନାଲ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? କଂଗ୍ରେସ ଦଳ ଏବଂ ତାଙ୍କ ନେତା ଦେଶବାସୀଙ୍କୁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।