ଶଙ୍ଖଭବନରେ ମାନସ ହଲାପଟା


 ଭୁବନେଶ୍ୱର : ପୁଣି ଶଙ୍ଖ ଭବନରେ ଶୁଭିଛି ମାନସ ଗୋ ବ୍ୟାକ୍ ନାରା  । ବିଜେଡ଼ି ଶାସନ ଅମଳରେ ଶଙ୍ଖ ଭବନରେ ଚାଲିଥିଲା ମାନସଙ୍କ ରାଜ୍  । ସବୁ କଥା ସେ ହିଁ ବୁଝାଶୁଝା କରୁଥିଲେ  । ତାଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର ମଧ୍ୟ ଥିଲା  । ସେତେବେଳେ ମାନସଙ୍କୁ ଭେଟିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ବି ପଡ଼େ  । ମାନସଙ୍କୁ ଭେଟିବା ପାଇଁ ବଡ଼ ବଡ଼ ନେତା ବି ଭିଡ଼ ଲଗାଉଥିଲେ  । କିନ୍ତୁ ଏବେ ଶଙ୍ଖଭବନରେ ମାନସଙ୍କ ରାଜ୍ ଯେ ଶେଷହୋଇଛି ତାହା ନୁହେଁ, ବରଂ ମାନସଙ୍କୁ ହଲାପଟାର ସାମ୍ନା ହେବାକୁ ପଡ଼ିଛି  । 
ଆଜି ଶଙ୍ଖଭବନରେ ଆରମ୍ଭ ହୋଇଥିଲା ଜନ ଜାଗରଣ  । ଏହି ଅବସରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ  ।  ବହୁ ବରିଷ୍ଠ ନେତା, ସାଂସଦ ଓ ବିଧାୟକମାନଙ୍କ ଠାରୁ ନେଇ ଯୁବ ଓ ଛାତ୍ର ନେତାମାନେ ବି ଠୁଳ ହୋଇଥିଲେ  । ଏହା ପୂର୍ବରୁ ମାନସ ମଙ୍ଗରାଜ ଗାଡ଼ିରୁ ଓହ୍ଲାଇ ଶଙ୍ଖ ଭବନ୍ ଭିତରକୁ ଯାଉଥିଲେ  । ହେଲେ ସିଡ଼ିରେ ଦୁଇ ତିନୋଟି ପାହାଚ ଚଢ଼ିଥିବାବେଳେ ହଠାତ୍ ମାନସ ଗୋ ବ୍ୟାକର ନାରା ପଡ଼ିଲା  । କିଛି ଯୁବ ଓ ଛାତ୍ରନେତା ତାଙ୍କ ଆଡ଼କୁ ମାଡ଼ିଆସି ଗାଳିଗୁଲଜ ବି ଆରମ୍ଭ କରିଦେଇଥିଲା  । ହଠାତ୍ ଉତ୍ତ୍ୟକ୍ତ ନେତାଙ୍କ ଦେଖି ମାନସ ଭୟରେ ଥରି ଉଠିଥିଲେ  । କିଛି ବରିଷ୍ଠ ନେତା ବି ପିଲାମାନଙ୍କୁ ଟିହାଇଥିବା ଜାଣିବାକୁ ମିଳିଥିଲା  । କିନ୍ତୁ କିଛି ବରିଷ୍ଠ ନେତା ଆସି ପିଲାଙ୍କୁ ବୁଝାଇ ମାନସଙ୍କୁ ଭିତରକୁ ନେଇଥିଲେ  । ମାନସ ଲାଜ ଓ ରାଗରେ ପୂରା ଲାଲ ପଡ଼ିଯାଇଥିଲେ  । କିଛି ସମୟ ସଭାରେ ରହିବା ପରେ ସେ ସେଠାରୁ ପଳାଇଥିଲେ  । ସୂଚନାଯୋଗ୍ୟଯେ, ବିଜେଡ଼ି ହାରିବା ଦିନଠାରୁ ନେତାଙ୍କ ଟାର୍ଗେଟରେ ଅଛନ୍ତି ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ ଓ ମାନସ ମଙ୍ଗରାଜ  । ଶଙ୍ଖଭବନରେ ପୂର୍ବରୁ ବି ତିନି ନେତାଙ୍କ ବିରୋଧରେ ନାରାବାଜି ପଡ଼ିଥିଲା  । ଇତିମଧ୍ୟରେ ପାଣ୍ଡିଆନ୍ ରାଜନୀତି ଛାଡ଼ି ନବୀନ ନିବାସରୁ ହିଁ ପ୍ରଚ୍ଛଦପଟରେ ଗୋଟି ଚଳାଉଛନ୍ତି  । ସେପଟେ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ୍ ହେବାରୁ ବବି ଦାସ ଖସିଯିବାରେ ସଫଳ ହୋଇଛନ୍ତି  । ବେଶ୍ କିଛିଦିନ ଗୁମସୁମ୍ ରହିବା ସହ ବବି ଦଳୀୟ କାର୍ଯ୍ୟରୁ ଦୂରେଇ ଯାଇଥିଲେ  । ଏବେ ପୁଣି ବବି ଧିରେଧିରେ ସକ୍ରିୟ ହେଉଛନ୍ତି  । ସେପଟେ ମାନସ ମଙ୍ଗରାଜ କିନ୍ତୁ ଗତ ବର୍ଷେ ହେଲା ଅଜ୍ଞାତବାସରେ ଅଛନ୍ତି  । ତାଙ୍କୁ ପଦାରେ କେହି ଦେଖୁନାହାନ୍ତି  । କାହିଁକିନା ତାଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ସେ ଜାଣିଛନ୍ତି  । ଖାଲି ସେତିକିନୁହେଁ ମାନସଙ୍କ ଦୁଇ ମିଡ଼ିଆ ସଂସ୍ଥାଙ୍କୁ ଦଳୀୟ ପାଣ୍ଠି ବି କମାଇ ଦିଆଯାଇଛି  । ପୂର୍ବରୁ ୨ କୋଟି ମିଳୁଥିବାବେଳେ ଏବେ କୁଆଡ଼େ ୬୦ ଲକ୍ଷ ଟଙ୍କା ଦିଆଯାଉଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  । କିଛି ବରିଷ୍ଠ ନେତା ବି ତାଙ୍କୁ ଆଉ ଟଙ୍କା ନଦେବାକୁ ନବୀନଙ୍କୁ ଜଣାଇସାରିଛନ୍ତି  । ଦୁଇ ପଟୁ ଏବେ ମାନସ ସାନ୍ଧି ହୋଇଯାଇଥିବାବେଳେ ବିଜେପି ସହ ବି ତାଙ୍କର ଯୋଗସୂତ୍ର ଥିବା କୁହାଯାଉଛି  ।