‘ମୋ ସରକାରକୁ ମାର୍କ ଦେବେ ଲୋକେ’

 ଭୁବନେଶ୍ୱର: ଜନସେବା ପାଇଁ ୨୪ ବର୍ଷର ଶାସନ ନୁହେଁ, ଇଚ୍ଛାଶକ୍ତି ଥିଲେ ୨୪ ମିନିଟ୍ ବି ଯଥେଷ୍ଟ  । ଯିଏ ବି ଦୁର୍ନୀତି କରିବ ସେ ଜେଲ୍ ଯିବ  । ପିଅନ ହେଉକି ଆଇଏଏସ କାହାକୁ ବି ଛାଡ଼ିବୁନି  । ପୂର୍ବ ସରକାରଙ୍କ ଦୁର୍ନୀତିର ତଦନ୍ତ ହେଉଛି  । ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସେହିପରି ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛୁ  । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବି ପ୍ରକ୍ରିୟା ଚାଲିଛି  । ବର୍ଷକର ସଫଳତା କଥା ବଖାଣିବା ବେଳେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।
ଏହି ବର୍ଷକ ମଧ୍ୟରେ ସରକାର କେତେ ସଫଳ ହୋଇଛନ୍ତି, ତାହାର ମାର୍କ ଲୋକମାନେ ଦେବେ । ନିଜେ ନିଜକୁ ମାର୍କ ଦେଇ ଫାଷ୍ଟ ଡିଭିଜନ୍ ହେବାକୁ ମୁଁ ଚାହେଁନି  । ନିର୍ବାଚନ ବେଳେ ୨୧ ପ୍ରତିଶ୍ରୁତି ଦେଇଥିବାବେଳେ ୧୧ଟି ପ୍ରତିଶ୍ରୁତି ପୂରଣ କରିସାରିଛୁ  । ଆଗାମୀ ଦିନରେ ଅନ୍ୟ ପ୍ରତିଶ୍ରୁତି ବି ପୂରଣ କରିବୁ  । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି  । ମନ୍ତ୍ରୀ ହେବାର ପୂର୍ବ ଅନୁଭବ ନଥାଇ ମୁଁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଛି  । ସରପଞ୍ଚ ଓ ଶିକ୍ଷକ ହେବା ସହ ବିରୋଧୀ ଦଳର ଗୁରୁଦାୟିତ୍ୱର ଅଭିଜ୍ଞତା ରହିଛି  । ତାହା ହେଉଛି ମୋ ପୁଞ୍ଜି  ।  ଆମ ରାଜ୍ୟରେ ଯେଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଚାଲିଛି ଦେଶର ଅନ୍ୟ କୌଣସି ରାଜ୍ୟରେ ସେମିତି ଚାଲିନାହିଁ  । ୬ ମନ୍ତ୍ରୀ ପଦ ପୂରଣ ଓ ନିଗମ ଅଧ୍ୟକ୍ଷ ପୂରଣ ପ୍ରକ୍ରିୟା ଭିତରେ ରହିଛି  । ବୈଷୟିକ ଶିକ୍ଷାରେ ବି ଏସଇବିସିଙ୍କୁ ସଂରକ୍ଷଣ ନେଇ ସରକାର ବିଚାରବିମର୍ଷ କରୁଛନ୍ତି  । ମୋ ସରଳତା ମୋର ଦୁର୍ବଳତା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଜୁନ୍ ୯ରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ  । ମୋଦି ସରକାର ୧୧ ବର୍ଷ ପୁରା କରି ସାରିଛନ୍ତି  । ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମୋଦି ସମର୍ଥ ହୋଇଛନ୍ତି  । ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ ଉଚ୍ଛେଦ, ଦେଶରେ ଏକକ ଜିଏସଟି ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା ଆଦି ବେଶ୍ ଗୁରୁତ୍ୱପୂର୍ଣ୍ଣ ।
 ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ଦେଶରେ ଅତି ଗରିବୀ ୨୭.୧%ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି  । ଏହି ସମୟ ଭିତରେ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ତାଡନାରୁ ମୁକ୍ତ ହୋଇଛନ୍ତି  । ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ‘ବେଟି ବଚାଓ, ବେଟି ପଢାଓ’ ଆଦି ଦେଶବାସୀଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଛି  ।ଦେଶରେ ଆତଙ୍କବାଦର କଡା ଜବାବ ଦେବା ପାଇଁ ‘ଅପରେସନ ସିନ୍ଦୁର’ ପାଇଁ ପ୍ରଧାନମନ୍ତ୍ରୀ  ନିଷ୍ପତ୍ତି ନେଇଥିଲେ  । ଏହା ମଧ୍ୟରେ ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି  । ଆଉ ମାତ୍ର ୨ ଦିନ ପରେ ସମ୍ପୂର୍ଣ୍ଣ ଏକ ବର୍ଷ ପୂରଣ ହେବ  । ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରି କୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ  । ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିଛନ୍ତି ।   ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ  । ଆମର ସବୁ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଆମ ପାଖକୁ ଆସିଛନ୍ତି  । ଆଗାମୀ ୨୦ରେ ମଧ୍ୟ ସେ ଷଷ୍ଠ ଥର ପାଇଁ ଓଡିଶା ଆସିବେ  । ଗତ ବର୍ଷ ଜୁନ ୧୨, ୨୦୨୪ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ  ସୁଭଦ୍ରା ଯୋଜନା, ଧାନକିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଏବଂ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବାରୁ ଆରମ୍ଭ ହୋଇଥିଲା ।  ବର୍ଷକ ମଧ୍ୟରେ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ  । ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଭାରତ ବର୍ଷରେ ପ୍ରଥମ ହେବା, କୃଷି କ୍ଷେତ୍ରରେ ସମୃଦ୍ଧ କୃଷି ଯୋଜନା ସହିତ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କାର ପ୍ରାବଧାନ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା, ନୂତନ ଶିକ୍ଷା ନୀତି ଲାଗୁ କରିବା, ଶିଶୁ ବାଟିକାର ଶୁଭାରମ୍ଭ, ଆୟୁଷ୍ମାନ ଭାରତ ଲାଗୁ କରିବା, ଭିତ୍ତିଭୂମି ପାଇଁ ରେକର୍ଡ ୬୫୧୦୨ କୋଟି ଟଙ୍କାର ପ୍ରାବଧାନ, ଏସସି ଓ ଏସଟିଙ୍କ କଲ୍ୟାଣ ପାଇଁ ୬୮୮୮୧ କୋଟି ଟଙ୍କା ପ୍ରାବଧାନ ଆମ ସରକାରଙ୍କ ନୀତି ଓ ନିୟତକୁ ଦର୍ଶାଉଛି  । ସବୁଠାରୁ ଉଲ୍ଲେଖନୀୟ ହେଉଛି, ଲୋକଙ୍କୁ ସୁଶାସନ ଦେବା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା  । ଆଜି ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ସୁରକ୍ଷିତ ନୁହନ୍ତି  । ଯଦି ଦୁର୍ନୀତି କରିବ, ଜେଲ ଯିବାକୁ ପଡିବ, ଦ୍ୱିତୀୟ ବିକଳ୍ପ ନାହିଁ  । ସାଧାରଣ ଜନତା ଏବଂ ଲୋକଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ଆମ ସରକାର ଧୂଳିସାତ କରି ଦେଇଛି  । ଆଜି ଯେକୌଣସି ଲୋକ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କୁ ଅବାଧରେ ଭେଟି ପାରୁଛନ୍ତି  । ଗତ ବର୍ଷକ ମଧ୍ୟରେ ମୁଁ ଓଡିଶାର ପ୍ରତି ଜିଲ୍ଲାକୁ ଗସ୍ତ କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ଶୁଣିଛି, ସୁଖଦୁଃଖରେ ସାମିଲ ହୋଇଛି । ଆଜି ‘ତୃତୀୟ ମହଲା’ ଲୋକଙ୍କ ଦୁଆର ମୁହଁକୁ ଯାଉଛି, ଏହା ହେଉଛି ଆମ ସୁଶାସନର ଏକ ନୂତନ ଦିଗ ।  ଆମେ ପ୍ରଥମ କ୍ୟାବିନେଟରେ ପ୍ରମାଣିତ କରିଛୁଯେ, ଜନସେବା ପାଇଁ ୨୪ ବର୍ଷ ଶାସନର ଆବଶ୍ୟକ ନାହିଁ, ୨୪ ମିନିଟରେ ବି ଅନେକ କିଛି କରିହେବ  । ୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଏଥିସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇଦେବୁ । ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ ହଜାର ନିଯୁକ୍ତି ଦେଇଛୁ  । ଚଳିତ ବର୍ଷ ଆହୁରି ୪୦ ହଜାର ନିଯୁକ୍ତି ଦେବୁ । ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନ ସେବା ସବୁଥିରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚ ରାଜ୍ୟରେ ସ୍ଥାନ ପାଇବ  । ଆମେ ଓଡିଶାକୁ ଏକ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବୁ  । ସୁଶାସନରେ ଓଡିଶା ଏବେ ସାରା ଦେଶରେ ଏକ ମଡେଲ୍ ।  ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ । ‘ବର୍ଷ ଏକ, ସଫଳତା ଅନେକ’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି  ।