ସରକାରଙ୍କ ଉପରେ ବର୍ଷିଲେ ନବୀନ: ‘ବଡ଼ ବିଜ୍ଞାପନରେ ବିକାଶ ଆସେନି’

ଏବେ ଲମ୍ବା ଭାଷଣ ଚାଲିଛି  । ବଡ଼ ବଡ଼ ବିଜ୍ଞାପନ ଲାଗିଛି  । ହେଲେ ବଡ ବିଜ୍ଞାପନରେ ବିକାଶ ଆସେନି  । ସ୍ୱାସ୍ଥ୍ୟବସ୍ଥା ଭୁଷୁଡ଼ିପଡ଼ିଛି  । ମହିଳା ସଶକ୍ତିକରଣରେ ବାଧା ସୃଷ୍ଟିହୋଇଛି  । ଲୋକଙ୍କ ସରକାର, ହେଲେ ଲୋକ ନାରଖାର  । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଉପରେ ଏମିତି ଢଙ୍ଗରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । 
ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସଭାରେ ନବୀନ କହିଥିଲେଯେ, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ  । ଲୋକଙ୍କ ମତ ଆଧାରରେ ଆମେ ଆଜି ବିରୋଧୀ ଦଳରେ ବସିଛେ  । ବିଜେଡି ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ କାମ କରୁଛି  ।  ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା  । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ,  ବଡ ବଡ ବିଜ୍ଞାପନରେ ବିକାଶ ଆସେ ନାହିଁ । ଆମ ସରକାର ସମୟରେ ଓଡିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ  । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି  । ଲୋକମାନେ ଔଷଧ ପାଉନାହାନ୍ତି  । ବିନା ଟଙ୍କାରେ ହସ୍ପିଟାଲରେ ଚିକିସôା ହୋଇପାରୁନି  । ହଜାର ହଜାର ଲୋକ ହଇରାଣ  । ମା’ ମାନେ ହଇରାଣ  । ବୁଢା ବୁଢି ହଇରାଣ  । କ୍ୟାନ୍ସର ରୋଗୀ ହଇରାଣ  । ପିଲାମାନେ ହଇରାଣ  । ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ିପଡ଼ିଛି  । ୩୦ ଜିଲ୍ଲା ମଧ୍ୟରୁ ୧୯ ଜିଲ୍ଲାରେ ସିଡ଼ିଏମଓ ନାହାନ୍ତି  । ଏହା ହିଁ ବର୍ତ୍ତମାନର ସରକାରଙ୍କ ସଫଳତା ବୋଲି ନବୀନ କହିଛନ୍ତି  ।     ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ମାନେ ସଶକ୍ତିକରଣ ହୋଇଥିଲେ  । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ଅଭିଯାନକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା  । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ  । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି  ହତାଶ  । ମା’ମାନଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଛି  । ଏହା ହେଉଛି ଏ ସରକାରର ବଡ ସଫଳତା  । ଆଜି ଏ ସରକାର ଅଛି  ।କାଲି ଆଉ କିଏ ଆସିବ  । ଆମ ସରକାର ସମୟରେ ମିଶନ ଶକ୍ତି ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା  । ତେଣୁ ମା’ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍  । ମା’ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ  । ନିର୍ବାଚନ ସମୟରେ କୁହାଗଲା କଟନି ଛଟନି ବନ୍ଦ ହେବ  । ସବୁ ଚାଷୀ ଏମଏସପି ପାଇବେ  । ଆମ ଭିତରେ ବହୁ ଚାଷୀ ଭାଇଭଉଣୀ ଅଛନ୍ତି  ।  ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ  । ସରକାରଙ୍କୁ ଭୟ ନାହିଁ  । ଚାଷୀମାନେ କାହାକୁ ଗୁହାରୀ କରିବେ? ଚାଷୀ କୃଷି ଋଣ ପାଇବାରେ ହଇରାଣ ହେଉଛନ୍ତି  । ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ ହୋଇଥିଲା  । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ  । ଲୋକଙ୍କ ସରକାର  ।  କିନ୍ତୁ ଲୋକ ନାରଖାର  । ଲୋକ ଚେତିଲେଣି  । ସରକାର ବୁଝନ୍ତୁ  ।   ୨୦୦୦ରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡିଶାର ଋଣ ଥିଲା ୧୮ ହଜାର କୋଟି  । ଓଭର ଡ୍ରାଫ୍ଟରେ ସରକାର ଚାଲିଥିଲା  । ୨୦୨୪ରେ ଆମେ ଦାୟିତ୍ୱ ଛାଡିବା ବେଳେ ସରକାରୀ ରାଜକୋଷରେ ଥିଲା ବଳକା ୪୫ ହଜାରେ କୋଟି  । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି  ।  ୨୦୦୫-୦୬ ରେ ଓଡିଶାର ଗରିବୀ ୬୩.୮୩ % ଥିବାବେଳେ ୨୦୨୩ରେ ଏହା ୧୧.୦୭% କୁ ଆସିଥିଲା  । ୧୦୨.୭୮ ଲକ୍ଷ ଲୋକ ଗରିବୀରୁ ଉପରକୁ ଉଠିଥିଲେ  । ଆଇଏମଆର, ଏମଏମଆର ଆଦି ସବୁ ବିକାଶ ସୂଚକାଙ୍କ ଆଖିଦୃଶିଆ ବିକାଶ ଆସିଥିଲା  ।  ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି  । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି  । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀମାନେ ଲୋକଙ୍କ ସେବା ଜାରି ରଖିବେ ବୋଲି କହିଥିଲେ  ।