ମହାକୁମ୍ଭରେ ମୃତକଙ୍କୁ ମୋକ୍ଷ ପ୍ରାପ୍ତି ହେଲା : ଟିପ୍ପଣୀ ଦେଇଥିଲେ ବାଗେଶ୍ବର ବାବା , ରାଗିଲେ ଶଙ୍କରାଚାର୍ଯ୍ୟ

ମହାକୁମ୍ଭରେ ମୃତକଙ୍କୁ ମୋକ୍ଷ ପ୍ରାପ୍ତି ହେଲା : ଟିପ୍ପଣୀ ଦେଇଥିଲେ ବାଗେଶ୍ବର ବାବା , ରାଗିଲେ ଶଙ୍କରାଚାର୍ଯ୍ୟ

୧୪୪ ବର୍ଷ ପରେ ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭମେଳାର ଆଧ୍ୟାତ୍ମିକତା ସାରା ବିଶ୍ବ ଦେଖିଲା । ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଆତ୍ମସନ୍ତୋଷ ଲାଭ କଲେ । ବିଦେଶୀ ବିଦେଶରୁ ଆସି ମହାକୁମ୍ଭମେଳା ଦେଖି ଚକିତ ହେଲେ । ଶ୍ରଦ୍ଧାଳୁ ପିତାମାତାଙ୍କୁ କାନ୍ଧରେ ବସାଇ ସାଧୁସନ୍ଥଙ୍କ ଆଶିର୍ବାଦ ନେଲେ । କହିବାକୁ ଗଲେ ଅପାରଶାନ୍ତି ଲାଭ କଲେ ଭକ୍ତ । କିନ୍ତୁ ଅପାରଶାନ୍ତି ଭିତରେ ବି ଅଶାନ୍ତି ଖେଳାଇଦେଲା ଧାଁଦଉଡ଼ , ଦଳାଚକଟା । କେତେ ଯେ ନିଷ୍ପାପ ଜୀବନ ପାଦ ତଳେ ଦବି ମାଟିରେ ମିଶିଲା ତାହାର ଠିକଣା ନାହିଁ । ପ୍ରଶାସନ ରିପୋର୍ଟ ଦେଲେ ହେଁ ମାଟି ତଳୁ ମିଳୁଥିବା ଆଧାରକାର୍ଡ ହିଁ ବ୍ୟାଖା କରୁଛି ଦଳାଚକଟା ନେଇଥିବ କେତେ ଯେ ଜୀବନ । ଉକ୍ତ ସ୍ଥାନ ପାଖରେ ଷ୍ଟଲ୍ ପକାଇଥିବା ଦୋକାନୀ ସେ ସମୟର କଥା କହୁ କହୁ କାନ୍ଦିପକାଉଛନ୍ତି । କେମିତି ରକ୍ଷାକର , ରକ୍ଷାକର ସ୍ବର ତାଙ୍କ କାନରେ ଏବେବି ଶୁଭୁଛି କହି ଆଖିରୁ ଲୁହ ଗଡାଉଛନ୍ତି ଆଖପାଖର ଲୋକ । 

ଏହି ଘଟଣାକୁ ନେଇ ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନେଇ ବାଗେଶ୍ବର ବାବା କହିଛନ୍ତି ଯେ , ମୃତକଙ୍କୁ ମୋକ୍ଷ ପ୍ରାପ୍ତି ହୋଇଗଲା । ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଜୋରଦାର୍ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ । ସେ କହିଛନ୍ତି , ବାଗେଶ୍ବର ବାବାଙ୍କୁ ବି ମୋକ୍ଷ ଦେଇଦିଅ । ଯଦି ସେ ରାଜି ଅଛନ୍ତି ଆମେ ତାଙ୍କୁ ଧକ୍କା ମାରି ମୋକ୍ଷ ଦେବାକୁ ଆଗକୁ ବଢିବୁ । କାହାକୁ ମୋକ୍ଷ ପ୍ରାପ୍ତ ହେଲା , କାହାକୁ ମୋକ୍ଷ ମିଳିଲାନି ଏ ପର ସମୟର କଥା । କିନ୍ତୁ ପାଦ ତଳେ ଏମିତି ଦଳାଚକଟା ହୋଇ କୁନିପିଲା , ମହିଳା , ବୃଦ୍ଧ , ଆମ ଭାଇମାନେ ନିଶ୍ବାସ ନନେଇ ଛଟପଟ ହୋଇମରିବା ଆଦୌ ଗ୍ରହଣୀୟ ନୁହଁ । ମୋକ୍ଷ ମିଳିଗଲା ବୋଲି କହିବା ସରଳ କଥା । ଯଦି ମୋକ୍ଷର କଥା କହୁଥିବା ଲୋକ କିଏ ମୋକ୍ଷ ପାଇବାକୁ ଚାହୁଁଛନ୍ତି ଆମେ ତାଙ୍କ ଏ ଆଶା ପୂରଣ କରିଦେବୁ । 

ଆପଣଙ୍କୁ କହିରଖୁଛୁ ମୌନୀ ଅମାବାସ୍ୟା ଅବସରରେ ସଙ୍ଗମତଟରେ ପ୍ରବଳରୁ ଅତିପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଧାଁଦଉଡ଼ ଭିତରେ ପରିସ୍ଥିତି ଏମିତି ଉପୁଜିଲା ଯେ ଦଳାଚକଟା ହୋଇ ଅନେକଙ୍କ ଜୀବନ ଅକାଳରେ ଚାଲିଗଲା । ୬୦ ରୁ ଅଧିକ ଲୋକ ଆଘାତର ଶିକାର ହେଲେ । ସରକାରଙ୍କ ରିପୋର୍ଟରେ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ଏହାକୁ ଖଣ୍ଡନ କରୁଛନ୍ତି । ତେବେ ଏହି ମୃତକଙ୍କ କଥା କହୁ କହୁ ବାଗେଶ୍ବର ବାବା ନିଜର ଏକ କାର୍ଯ୍ୟକ୍ରମରେ ମୃତ୍ୟୁକୁ ମୋକ୍ଷ ବୋଲି କହିଛନ୍ତି । ସେ କହିଛନ୍ତି , ‘କେହି ଅମର ନୁହଁନ୍ତି , ସମସ୍ତେ ମରିବା । ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଇହକାଳ ଗମନ କରୁଛନ୍ତି । କିଛି ବିନା ଔଷଧରେ ଆଉ କିଏ ଔଷଧ ଖାଇ ମରୁଛନ୍ତି । ଦିନେ ନା ଦିନେ ସମସ୍ତେ ମରିବା , କିନ୍ତୁ ଗଙ୍ଗାତଟରେ ହୋଇଥିବା ମୃତ୍ୟୁ-ମୃତ୍ୟୁ ନୁହଁ ମୋକ୍ଷ । ମହାକୁମ୍ଭରେ କାହାର ମୃତ୍ୟୁ ନୁହଁ ମୋକ୍ଷ ହୋଇଛି ।’