ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା

ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା

କଟକ : ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଅଜି ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ । ଚଳିତଥର ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରାଯିବ । ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କେର ସଂଗୀତ ପରିବେଷଣ କରିବେ । ସେହିପରି ‘କଟକ ଇନ କଟକ’ରେ ଓଡିଆ ଭାଷା, ସାହିତ୍ୟ ଥିମରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ବାଲିଯାତ୍ରାରେ ଚଳିତ ବର୍ଷ ପାଖାପଖି ୧୬୦୦ ଷ୍ଟଲ ପଡିଛି । ଅନ୍ୟପକ୍ଷରେ ଭିଡ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି । 

    ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍‌ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଭାଗ ନେବ । ସେମାନଙ୍କର କଳା ସଂସ୍କୃତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନୀ ହେବ । ଉଦଘାଟନୀ କାର୍ୟ୍ୟକ୍ରମରେ ଇଣ୍‌ଡୋନେସିଆର ଏକ ସ୍ୱତନ୍ତ୍ର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ । ସବୁ ସନ୍ଧ୍ୟାରେ ବଲିଉଡ ଏବଂ ଓଲିଉଡର ନାମିଦାମୀ କଳାକାର ନୃତ୍ୟ ସଙ୍ଗୀତରେ ଗଣକବି ବୈଷ୍ଣବ ପାଣି ଏବଂ ଅକ୍ଷୟ ମହାନ୍ତି ମଞ୍ଚ ଦୁଲୁକିବ ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅତିଥି ଭାବେ ଇଣ୍‌ଡୋନେସିଆର ରାଷ୍ଟ୍ରଦୂତ ଇନା. ଏଚ କ୍ରୀଷ୍ଣମୂର୍ତ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଭୁପ୍ରସାଦ ତରାଇ, ଦେବାଶିଷ ସାମନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଅତିଥି ଭାବେ ଯୋଗଦେବେ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଏକ ୫୦ ଫୁଟ ଲମ୍ବର ବାଲୁକା କଳା ୱାଲର୍ଡ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ । ଲୋକମାନେ ଖାଦ୍ୟ ସହ ମନଭରି ବାଲିଯାତ୍ରାକୁ ଉପଭୋଗ କରିବେ ।