ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରୁ ଶିଶୁ ମୃତୁ୍ୟ!
କଟକ : ଏକ ଘରୋଇ ହସପିଟାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରପଚାରର କିଛି ସମୟପରେ ଜଣେ ଶିଶୁ ରୋଗୀଙ୍କ ମୃତୁ୍ୟ ଘଟିଥିବା ନେଇ ଅଭିଯୋଗ ହୋଇଛି । ଏହାଛଡ଼ା ଏହି ଅସ୍ତ୍ରପଚାର କରିଥିବା ସରକାରୀ ଶିଶୁ ହସ୍ପିଟାଲର ଡାକ୍ତର ସ୍ୱାସ୍ଥ୍ୟ ବୀମା କାର୍ଡ଼ରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ସଂଗୀନ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ଲାଲାବାଗ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ରାସୋଳଥାନା ଫାଶୀ ଗ୍ରାମର ସୁଜାତା ନାୟକଙ୍କ ସାନ ପୁଅ ଉମେଶର ହାରନିଆ ଥିବାରୁ ଗତ ମାସ ୨୮ରେ ଶିଶୁ ଭବନରେ ଭର୍ତ୍ତି କରିଥିଲେ । ଆଉଟଡୋରରେ ଡାକ୍ତର ଦେଖିବା ପରେ କିଛି ଔଷଧ ଦେଇ ଏଠାରେ ଅସ୍ତ୍ରପ୍ରଚାର ହୋଇପାରିବ ନାହିଁ ବୋଲି କହିଥିଲେ ।ପରେ ପରିବାର ଲୋକେ ଶିଶୁକୁ ଚାନ୍ଦିନୀଚୌକରେ ଥିବା ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ସେହିଦିନ ଶିଶୁଟିର ଅସ୍ତ୍ରପଚାର କରାଯିବା ସହ ଆଇସିୟୁରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିବା ଦର୍ଶାଇ ମଙ୍ଗଳାବାଗ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଶିଶୁଟିର ମୃତ ହୋଇଥିବା ଡାକ୍ଟର କହିଥିଲେ । ଡାକ୍ତର ପୁଅର ତ୍ରୁଟପୂର୍ଣ୍ଣ ଅସ୍ତ୍ରପଚାର ସହିତ ସ୍ୱାସ୍ଥ୍ୟବୀମା କାର୍ଡ଼ରୁ ସମସ୍ତ ଟଙ୍କା ନେବା ପରେ ତାର ମୃତୁ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ସୁଜାତା ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ସିଡ଼ିଏମଓ ଠାରୁ ମଗା ଯାଇଥିବା ରିର୍ପୋଟ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।