ସୁଜିତଙ୍କୁ କିଏ ଦେଉଥିଲା ଧମକ ?
Sujit Kumar Joins BJP

ଭୁବନେଶ୍ୱର : ସୁଜିତ କୁମାରଙ୍କୁ ବିଜେଡ଼ିର ଜଣେ ବଡ଼ ନେତା ଧମକ ଦେଉଥିଲେ । କିଏ ସେହି ନେତା ସେନେଇ କିନ୍ତୁ ସୁଜିତ୍ କିଛି ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତିଯେ, ରାଜ୍ୟର ଜଣେ ବଡ଼ ନେତା କଳାହାଣ୍ଡି ଆସି ଅନ୍ୟ ନେତାଙ୍କ ଆଗରେ ଏଭଳି କହୁଥିଲେ । ବିଜେଡ଼ିର ଟାଣୁଆ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ ଓ ଭିକେ ପାଣ୍ଡିଆନ୍ । ପୂର୍ବରୁ ମମତା ମହନ୍ତ କିନ୍ତୁ ସିଧାସଳଖ ଭାବେ ପ୍ରଣବଙ୍କ ନାଁ ହିଁ ନେଇଥିଲେ । ତେଣୁ ସୁଜିତ୍ ନକହିଥିଲେବି ପ୍ରଣବଙ୍କ ଆଡ଼କୁ ଇସାରା କରୁଛନ୍ତି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି । ତେବେ ଯିଏ ବି ଧମକାଉ, ତାଙ୍କୁ ଧମକ ଦିଆଯାଇଥିବା କଥାଟି ହିଁ ସତ୍ୟ ।
ସୂଚନାଯୋଗ୍ୟଯେ, ପୁଣିଥରେ ବିଜୁ ଜନତା ଦଳକୁ ଜୋରଦାର ଝଟକା ଲାଗିଛି । ରାଜ୍ୟସଭା ସାଂସଦ ସୁଜିତ୍ କୁମାର ବିଜେଡ଼ି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି । ଫଳରେ ମମତା ମହନ୍ତଙ୍କ ଭଳି ସେ ବିଜେପି ଟିକେଟରେ ପୁଣି ରାଜ୍ୟସଭା ଯିବା ନିଶ୍ଚିତ ବୋଲି କୁହାଯାଉଛି ।
ମମତା ବିଜେଡ଼ି ଛାଡ଼ିବା ପରେ ସୁଜିତଙ୍କୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଥିଲା । ସେବେଠାରୁ ସେ ବି ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଥିଲା । ସେହି ଚର୍ଚ୍ଚା ଆଜି ସତ ହୋଇଛି । ସୁଜିତ କୁମାର ଦଳରୁ ଇସ୍ତଫା ଦେବା ପରେ ପରେ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ଏହା କଳାହାଣ୍ଡିବାସୀଙ୍କୁ ଧୋକା ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଆଗାମୀ ଦିନରେ ଆଉ କେଉଁ ସାଂସଦ ବିଜେପି ମୁହାଁ ହେବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।