ରାଜ୍ୟସଭା ନିର୍ବାଚନରେ ପୁଣି ବିଜେପି-ବିଜେଡ଼ି ମେଣ୍ଟ! ଦିଲ୍ଲୀପ ଯଦି ଚତୁର୍ଥ ପ୍ରାର୍ଥୀ ହୁଅନ୍ତି...
ଭୁବନେଶ୍ୱର: ୨୦୨୬ ଅପ୍ରେଲ । ଅବଶ୍ୟ ଆଉ ୮ ମାସ ଅଛି । ହେଲେ ରାଜନୀତିରେ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୁଏ । ଆଗାମୀ ଅପ୍ରେଲ ମାସରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିହେବାର ସମ୍ଭାବନା ରହିଛି । କାହିଁକିନା ସେତେବେଳେ ରାଜ୍ୟସଭା ନିର୍ବାଚନ ହେବ । ଏକାଥରେ ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରୁଥିବାରୁ ବିଜେପି ଓ ବିଜେଡ଼ି କାହାକୁ ପଠାଇବେ ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
୨୦୨୬ ଅପ୍ରେଲରେ ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର ଓ ମମତା ମହନ୍ତଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏମାନଙ୍କ ମଧ୍ୟରୁ କେହିବି ରିପିଟ୍ ହେବେନାହିଁ । ବିଧାନସଭାରେ ବିଜେପିର ୭୮ ବିଧାୟକ ଅଛନ୍ତି । ୩ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ତାହା ୮୧ । ସେହିପରି ବିଜେଡ଼ି ପାଖରେ ୫୧ ବିଧାୟକ ଥିବାବେଳେ କଂଗ୍ରେସର ୧୪ ଓ ସିପିଏମର ଜଣେ ବିଧାୟକ ଅଛନ୍ତି । ରାଜ୍ୟସଭା ସାଂସଦ ହେବା ପାଇଁ ୩୦ ଭୋଟର ଆବଶ୍ୟକତା ରହିଛି । ଅର୍ଥାତ୍ ବିଜେପି ନିଜ ଦମ୍ରେ ୨ ଜଣଙ୍କୁ ରାଜ୍ୟସଭା ସାଂସଦ ଭାବେ ଜିତାଇପାରିବ । ତେବେ ୬୦ ଭୋଟ୍ ଯିବା ପରେ ବିଜେପି ପାଖରେ ଆଉ ୨୧ ଭୋଟ ବଳିବ । ସେହିପରି ବିଜେଡ଼ି ନିଜ ଦମ୍ରେ ଜଣଙ୍କୁ ରାଜ୍ୟସଭାକୁ ପଠାଇପାରିବ । ୫୧ ଭୋଟରୁ ୩୦ ଗଲେ ବିଜେଡ଼ି ପାଖରେ ବି ଆଉ ୨୧ ଭୋଟ୍ ବଳିବ । ନା ବିଜେପି ନା ବିଜେଡ଼ି କାହା ପାଖରେ ବି ରାଜ୍ୟସଭା ସାଂସଦ ଜିତାଇବାକୁ ଶକ୍ତି ନାହିଁ । ଏଭଳି କ୍ଷେତ୍ରରେ କଂଗ୍ରେସ ପାଖରେ ହିଁ ଚାବିକାଠି । ଯଦି ବିଜେଡ଼ି ଓ କଂଗ୍ରେସ ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରନ୍ତି ତେବେ ଜିତାଇପାରିବେ । ତେବେ ଜଣେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ଯଦି ବିଜେଡ଼ି ଓ କଂଗ୍ରେସ ମିଳିତ ଭାବେ ଜିତାନ୍ତି ତେବେ ବିଜେଡ଼ିର କ୍ଷତି ହେବ । କାହିଁକିନା ବିଜେଡ଼ି-କଂଗ୍ରେସ ମେଣ୍ଟ ନେଇ ବି ଚର୍ଚ୍ଚା ଜୋର ଧରିପାରେ । ସେହିପରି ଅତୀତରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବାର ନଜିର ରହିଛି । ଯାହାକୁ ନେଇ ଦଳ ଘାଟାରେ ପଡ଼ିଛି ବୋଲି ଅନେକ ବରିଷ୍ଠ ବିଜେଡ଼ି ନେତା ଖୋଲାଖୋଲି ମତ ଦେଉଛନ୍ତି । ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚା ଯୋଗୁଁ ଗତ ନିର୍ବାଚନରେ ଅବଶ୍ୟ ବିଜେଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି ।
ଏଭଳି ରାଜନୀତିକ ସମୀକରଣକୁ ଲକ୍ଷ୍ୟ କଲେ ଅନେକ ଦିଲ୍ଲୀପ ରାୟଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ରାଜନୀତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ, ଏବେ ବିଜେପିରେ ଅଛନ୍ତି ଦିଲ୍ଲୀପ ରାୟ । ଗୋଟିଏ ରାଜ୍ୟସଭା ଆସନ ବିଜେଡ଼ି-କଂଗ୍ରେସ କାହିଁକି ନେଇଯିବେ, ଆମେ କାହିଁ ନେବୁନି ଏକଥା ବି ବିଜେପିର କେନ୍ଦ୍ରୀୟ ନେତାମାନେ ଚିନ୍ତା କରିପାରନ୍ତି । ଯଦି ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରେ ତେବେ ସେ ନିଶ୍ଚିତ ବିଜୟୀ ହୋଇପାରିବେ । ଏମିତିବି ନବୀନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ବିଜେଡ଼ି ରାଜନୀତି ଠାରୁ ଦୂରେଇ ରହିଥିଲେବି ନବୀନଙ୍କ ମନରୁ କିନ୍ତୁ ଦିଲ୍ଲୀପ ଦୂରେଇ ନାହାନ୍ତି । ଅନେକବାର ଉଭୟ ନେତା ଆଲୋଚନା କରିବାର ନଜିର ବି ରହିଛି । ବିଜେପି ଯଦି ଦିଲ୍ଲୀପଙ୍କୁ ପ୍ରାର୍ଥୀ କରେ ଓ ବିଜେଡ଼ି ସମର୍ଥନ କରେ ତେବେ ବିଜେଡ଼ିର ବରିଷ୍ଠ ନେତାମାନେ ବି ଅସନ୍ତୋଷ ପ୍ରକାଶ କରିବେ ନାହିଁ । କାହିଁକିନା ଜନତା ଦଳ ଅମଳରୁ ସେମାନଙ୍କ ସହ ଦିଲ୍ଲୀପଙ୍କର ଭଲ ସମ୍ପର୍କ ରହିଛି । ଫଳରେ ଉଭୟ ବିଜେପି ଓ ବିଜେଡ଼ି ଫାଇଦାରେ ରହିପାରିବେ ।