ୟୁଜିସି ନୂଆ ନିୟମ ଉପରେ ସୁପ୍ରିମ୍ ରୋକ୍
ନୂଆଦିଲ୍ଲୀ, : ୟୁଜିସି ନୂଆ ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୟୁଜିସି ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ନୂଆ ନିୟମକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହି ରହିତାଦେଶ ଲାଗୁ ହୋଇଛି । ୟୁଜିସି ୨୦୧୨ ରେଗୁଲେସନ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ଆମେ ହସ୍ତକ୍ଷେପ ନକଲେ ନୂଆ ନିୟମ ସମାଜକୁ ଭାଗ ଭାଗ କରିଦେବ ବୋଲି ୟୁଜିସିର ନୂଆ ବୈଷମ୍ୟ ବିରୋଧୀ ନିୟମାବଳୀକୁ ଚାଲେଞ୍ଜ କରି ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହା ଦର୍ଶାଇଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତାକୁ ପ୍ରୋତ୍ସାହନ) ନିୟମାବଳୀ ୨୦୨୬ ଜାନୁଆରି ୧୩ ରେ ଅଧିସୂଚିତ କରାଯାଇଥିଲା । ଏହା ଭାରତର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ଥିଲା । ଅଭିଯୋଗ ସମାଧାନ ବ୍ୟବସ୍ଥା ଅଧୀନରେ ‘ସାଧାରଣ ବର୍ଗ' ଛାତ୍ରଛାତ୍ରୀମାନଙ୍କୁ ଅଭିଯୋଗ କରିବାରୁ ବାଦ୍ ଦେବା ପାଇଁ ନିୟମାବଳୀକୁ ଦେଶ ସାରା ପ୍ରତିବାଦ କରାଯାଇଥିଲା । ଗୁରୁବାର ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି କୋର୍ଟ ହସ୍ତକ୍ଷେପ ନ କରନ୍ତି, ତେବେ ବିପଜ୍ଜନକ ପରିଣାମ ହେବ ଓ ଏହା ସମାଜରେ ବିଭାଜନ ସୃଷ୍ଟି କରିବ ଏବଂ ଗମ୍ଭୀର ପ୍ରଭାବ ପକାଇବ । ଏହା ସହିତ କୋର୍ଟ ମତ ଦେଇଛନ୍ତି ଯେ ଏକ ବିଶେଷଜ୍ଞ କମିଟି ଦ୍ୱାରା ନିୟମାବଳୀ ଯାଞ୍ଚ କରିବାକୁ ପଡିବ । ପ୍ରଥମେ ଆମେ କହୁଛୁ ଯେ ନିୟମାବଳୀର ଭାଷା ଅସ୍ପଷ୍ଟ ଓ ବିଶେଷଜ୍ଞମାନେ ଭାଷାକୁ ପରିବର୍ତ୍ତନ କରିବା ପାଇଁ ଅନୁଧ୍ୟାନ କରିବା ଆବଶ୍ୟକ ଯାହା ଦ୍ୱାରା ଏହାର ଯେମିତି ଶୋଷଣ ନହୁଏ ବୋଲି କୋର୍ଟ କହିଛନ୍ତି । ଶୁଣାଣି ସମୟରେ କଡ଼ା ମନ୍ତବ୍ୟ ଦେଇ ପ୍ରଧାନ ବିଚାରପତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ ଯେ ଦେଶ କ’ଣ ପୁଣି ପଛକୁ ଫେରୁଛି । ଜାତିହୀନ ସମାଜ ହାସଲ କରିବା କ୍ଷେତ୍ରରେ ଆମେ ଯାହା ପାଇଛୁ, ଏବେ କ’ଣ ଆମେ ତାହା ହରାଇବାକୁ ଯାଉଛି ବୋଲି କୋର୍ଟ କହିଥିଲେ । ବିଭିନ୍ନ ଜାତି ପାଇଁ ପୃଥକ ଛାତ୍ରାବାସ ବିଷୟରେ ଚିନ୍ତା କରୁଥିବା ନୂତନ ନିୟମାବଳୀରେ ଥିବା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରି କୋର୍ଟ କହିଛନ୍ତି, ଭଗବାନଙ୍କ ପାଇଁ, ଏହା କରନ୍ତୁ ନାହିଁ । ଆମେ ସମସ୍ତେ ଏକାଠି ରହୁଥିଲୁ । ଆନ୍ତଃଜାତି ବିବାହ ବ୍ୟବସ୍ଥା ମଧ୍ୟ ସମାଜରେ ଅଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ୟୁଜିସି ଓ ଅନ୍ୟାନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସେମାନଙ୍କର ବିସ୍ତୃତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଏହା ତୁରନ୍ତ ଚୂଡ଼ାନ୍ତ ନିର୍ଦ୍ଦେଶ ଦେବାକୁ ଚାହୁଁନାହିଁ ଓ ସାମାଜିକ ମୂଲ୍ୟବୋଧ ଏବଂ ସାମାଜିକ ଚ୍ୟାଲେଞ୍ଜକୁ ବୁଝିଥିବା ପ୍ରଖ୍ୟାତ ଆଇନବିଦ୍ୱାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରସଙ୍ଗତ ଭାବରେ କୋର୍ଟ ନିୟମାବଳୀର ଧାରା ୩(ସି) ଓ ୩(ଇ) ରେ ଅସଙ୍ଗତିକୁ ସୂଚିତ କରିଛନ୍ତି ।