ନୂଆ ନିୟମ : UPI ପେମେଣ୍ଟ୍‌ ଉପରେ ଶୁଳ୍କ ଆଦାୟ କରିବ ବ୍ୟାଙ୍କ

ନୂଆ ନିୟମ : UPI ପେମେଣ୍ଟ୍‌ ଉପରେ ଶୁଳ୍କ ଆଦାୟ କରିବ ବ୍ୟାଙ୍କ

ଡିଜିଟାଲ ପେମେଣ୍ଟ୍‌ ଦୁନିଆରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାଗଣାରେ UPI ସେବା ପାଇଁ ଏଣିକି ଶୁଳ୍କ ଦେବାକୁ ପଡ଼ିପାରେ । ଦେଶର ବେସରକାରୀ ICICI ବ୍ୟାଙ୍କ , ଅଗଷ୍ଟ ୧, ୨୦୨୫ରୁ ପେମେଣ୍ଟ୍‌ ଏଗ୍ରିଗେଟର ମାନଙ୍କଠାରୁ UPI କାରବାର ଉପରେ ଶୁଳ୍କ ଆଦାୟ କରିବାକୁ ଯାଉଛି । ଏହି ନୂଆ ନିୟମ ଯୋଗୁଁ ସାଧାରଣ ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା କମ୍ ଥିଲେ ମଧ୍ୟ, ଏହା ବ୍ୟବସାୟୀ ଏବଂ ଡିଜିଟାଲ ପେମେଣ୍ଟ ସିଷ୍ଟମ ଉପରେ ପରୋକ୍ଷ ପ୍ରଭାବ ପକାଇପାରେ ICICI ବ୍ୟାଙ୍କ ପୂର୍ବରୁ ୟେସ୍ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଏହିପରି ଶୁଳ୍କ ଲାଗୁ କରିସାରିଛନ୍ତି । ICICI ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ , ଯେଉଁ ପେମେଣ୍ଟ୍‌ ଏଗ୍ରିଗେଟରମାନଙ୍କର ICICI ବ୍ୟାଙ୍କରେ ଏସ୍କ୍ରୋ ଆକାଉଣ୍ଟ୍‌ ଅଛି, ସେମାନଙ୍କୁ ପ୍ରତି କାରବାର ଉପରେ ୦.୦୨% ଶୁଳ୍କ ଦେବାକୁ ପଡ଼ିବ । ଯାହାର ସର୍ବାଧିକ ସୀମା ୬ ଟଙ୍କା ରହିବ । ଯେଉଁ ପେମେଣ୍ଟ୍‌ ଏଗ୍ରିଗେଟରମାନଙ୍କର ICICI ବ୍ୟାଙ୍କରେ ଏସ୍କ୍ରୋ ଆକାଉଣ୍ଟ ନାହିଁ, ସେମାନଙ୍କ ପାଇଁ ଶୁଳ୍କ ଦୁଇ ଗୁଣ ଅର୍ଥାତ୍ ୦.୦୪% ରହିବ ଏବଂ ଏହାର ସର୍ବାଧିକ ସୀମା ୧୦ ଟଙ୍କା ହେବ ।  ଏହି ଶୁଳ୍କ ସିଧାସଳଖ ଗ୍ରାହକଙ୍କ ଠାରୁ ଆଦାୟ କରାଯିବ ନାହିଁ । ବ୍ୟାଙ୍କ ଏହି ଶୁଳ୍କ ପେମେଣ୍ଟ୍‌ ଏଗ୍ରିଗେଟରମାନଙ୍କଠାରୁ ଆଦାୟ କରିବ ।

କିନ୍ତୁ ବିଶେଷଜ୍ଞଙ୍କ ମତରେ, ପେମେଣ୍ଟ୍‌ ଏଗ୍ରିଗେଟରମାନେ ଏହି ଅତିରିକ୍ତ ଖର୍ଚ୍ଚର ବୋଝ ବ୍ୟବସାୟୀଙ୍କ ଉପରେ ଲଦି ପାରନ୍ତି । ଯାହା ପରୋକ୍ଷରେ ଗ୍ରାହକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଯଦିଓ, ଯଦି କାରବାର ସିଧାସଳଖ ବ୍ୟବସାୟୀଙ୍କ ICICI ବ୍ୟାଙ୍କ ଆକାଉଣ୍ଟ୍‌ରେ ସେଟଲ୍ ହୁଏ, ତେବେ କୌଣସି ଶୁଳ୍କ ଲାଗିବ ନାହିଁ । ସରକାର UPI ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ୍‌ ରେଟ୍ ଜିରୋ ରଖିଥିଲେ ମଧ୍ୟ, ନ୍ୟାସନାଲ୍‌ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବ୍ୟାଙ୍କଗୁଡ଼ିକଠାରୁ ସୁଇଚ୍ ଫି ଆଦାୟ କରେ । ଏହି ଖର୍ଚ୍ଚକୁ ଭରଣା କରିବା ପାଇଁ ବ୍ୟାଙ୍କଗୁଡ଼ିକ ଏବେ ପେମେଣ୍ଟ୍‌ ଏଗ୍ରିଗେଟରଙ୍କ ଉପରେ ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି । ଏହା ସହିତ, NPCI ଦ୍ୱାରା ଅଗଷ୍ଟ ୧, ୨୦୨୫ରୁ UPI ବ୍ୟବହାରରେ ଆଉ କିଛି ନୂଆ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି । ଯେପରିକି ଦୈନିକ ବାଲାନ୍ସ ଯାଞ୍ଚର ସୀମା, ଅଟୋ ପେ’ ସମୟରେ ପରିବର୍ତ୍ତନ ଏବଂ ଅଚଳ UPI ଆଇଡିକୁ ବନ୍ଦ କରିବା । ଯାହା ସିଷ୍ଟମକୁ ଅଧିକ ସୁରକ୍ଷିତ ଏବଂ ସୁଗମ କରିବା ପାଇଁ ଉଦ୍ଦିଷ୍ଟ ।