ଜୁନ୍ ୧ରେ ବିଜେପିକୁ ଭଲ ଜବାବ ଦେବେ ଓଡ଼ିଶାବାସୀ
VK PANDIAN, BIJU JANATA DAL
ବିଜେପି ୧୦ ବର୍ଷ ହେଲା କେନ୍ଦ୍ର ସରକାରରେ ଅଛନ୍ତି । ଚାଷୀଙ୍କ ସମସ୍ୟାକୁ ଦୂର କରିପାରିଲେ ନାହିଁ । ୨୦୧୪ରେ କହିଥିଲେ, ଆମେ କ୍ଷମତାକୁ ଆସିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବୁ । ଚାଷୀଙ୍କ ଆୟକୁ ଦୁଇଗୁଣା କରିବୁ । କିନ୍ତୁ ତାହା କରିପାରିଲେ ନାହିଁ । ନିର୍ବାଚନର ୧୦ ଦିନ ପୂର୍ବରୁ ଚାଷୀଙ୍କୁ ମନେ ପକାଇଲେ । ଏମଏସପି ୩୧ ଶହ ଟଙ୍କା ଦେବୁ ବୋଲି କହୁଛନ୍ତି । ଏହାଠାରୁ ଦୁର୍ଭାଗ୍ୟଜନକ କଥା କ’ଣ ହୋଇପାରେ ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି । ୨୦୧୪ରେ କହିଥିଲେ ଦରଦାମ ବୃଦ୍ଧି କମ୍ କରିବୁ । ତେଲ ଦର, ଡାଲି ଦର, ଏଲପିଜି ଦର କମ କରିବୁ ବୋଲି କହିଥିଲେ । କିନ୍ତୁ କିଛି ହେଲାନାହିଁ । ସବୁ ପ୍ରତିଶ୍ରୁତିକୁ ଭୁଲିଗଲେ । ବହୁ ବଡ଼ ବଡ଼ କଥା କହିଥିଲେ । ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ । ହେଲେ ବର୍ଷକୁ ୨ ଲକ୍ଷ ରୋଜଗାର ବି ଦେଇପାରିଲେ ନାହିଁ । ଯଦି ୨ କୋଟି ଚାକିରୀ ଦେଇଥା’ନ୍ତେ ତେବେ ୧୦ ବର୍ଷରେ ୨୦ କୋଟି ଚାକିରୀ ମିଳିଥା’ନ୍ତା । ଓଡ଼ିଶାର ଭାଗ ମଧ୍ୟ ୮୦ ଲକ୍ଷ ପଡ଼ିଥା’ନ୍ତା । କିନ୍ତୁ ଓଡ଼ିଶାରେ ୮ ହଜାର ଚାକିରୀ ବି କେନ୍ଦ୍ର ସରକାର ଦେଇନାହାନ୍ତି । ନିର୍ବାଚନ ପ୍ରତିଶ୍ରୁତିରେ ବିଜେପି ବିଫଳ ହୋଇଛି । ଓଡ଼ିଶା ପ୍ରତି ଅବହେଳା କରୁଛନ୍ତି । ପ୍ରତିବର୍ଷ କୋଇଲାରୁ ୨୭ ହଜାର କୋଟି ଟଙ୍କା ପାଉଛି ଏମସିଏଲ । ନାଲକୋ ୪ ହଜାର କୋଟି ପାଉଛି । ରେଲୱେ ବି ୨୫ ହଜାର କୋଟି ପାଉଛି । ଓଡ଼ିଶାରୁ ପ୍ରତିବର୍ଷ କେନ୍ଦ୍ର ସରକାର ବର୍ଷକୁ ଷାଠିଏ ସତୁରୀ ହଜାର କୋଟି ପାଉଥିବାବେଳେ ମାତ୍ର ପାଞ୍ଚ ଛଅ ହଜାର କୋଟି ଟଙ୍କା ଦେଉଛନ୍ତି । ଓଡିଶାରୁ ୧୦ ଗୁଣା ଅର୍ଥ ନେଉଛନ୍ତି । ନେବା ବେଳେ ଚତୁର୍ଭୁଜ, ହେଲେ ଦେବାବେଳେ ଖାଲିହାତ । ଏକଥା ପଚାରିଲେ, ରତ୍ନଭଣ୍ଡାର କଥା କହି ପ୍ରସଙ୍ଗକୁ ଦୂରେଇ ଯାଉଛନ୍ତି । ଅଶାଳୀନ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନୀତ କରୁଛନ୍ତି । ଏକଥା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି । ଜୁନ୍ ୧ରେ ଓଡ଼ିଶାବାସୀ ଏହାର ଭଲ ଜବାବ ଦେବେ ।