ଅଡ଼ୁଆରେ ଆପ : ମହିଳା ସମ୍ମାନ ଯୋଜନାର ତଦନ୍ତ ନିଦେ୍ର୍ଦଶ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଡ଼ୁଆରେ ଆମ୍ ଆଦମୀ ପାର୍ଟି ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିବା ‘ମହିଳା ସମ୍ମାନ ଯୋଜନା' ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କରିଥିବା ଅଭିଯୋଗ ଆଧାରରେ ଦିଲ୍ଲୀର ମୁଖ୍ୟ ସଚିବ ଓ ପୁଲିସ କମିଶନରଙ୍କୁ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ଉପରାଜ୍ୟପାଳ ।
ଆସନ୍ତା  ଫେବୃଆରିରେ ସମ୍ଭବତଃ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆପ୍ ସରକାର ଆରମ୍ଭ କରିଥିବା ଏହି ‘ମହିଳା ସମ୍ମାନ ଯୋଜନା'ରେ ଏପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ମହିଳା ପଞ୍ଜୀକୃତ ହୋଇସାରିଲେଣି । ନିର୍ବାଚନରେ ମହିଳା ଭୋଟବ୍ୟାଙ୍କ ରାଜନୀତି ପାଇଁ ଆପ୍ ଏହି ଯୋଜନା ଆଣିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । 
ଅନ୍ୟପଟେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଦିଲ୍ଲୀ ସରକାରଙ୍କୁ ଟଙ୍କା ପଠାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିଦ୍ୱନ୍ଦ୍ୱୀ ସନ୍ଦୀପ ଦୀକ୍ଷିତ । ଯାହାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ଉପରାଜ୍ୟପାଳ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହା ଏକ ବଡ ପ୍ରସଙ୍ଗ ହୋଇପାରେ । ଅଭିଯୋଗ ହୋଇଛି ଯେ ‘ମହିଳା ସମ୍ମାନ ଯୋଜନା' ଆଳରେ ଆପ୍ ଭୋଟରମାନଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାକୁ ଚାହୁଁଛି । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ପାଖରେ ପଞ୍ଜାବର ଗୁଇନ୍ଦା ଅଧିକାରୀମାନେ ବୁଲୁଛନ୍ତି । ଏପରିକି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପଞ୍ଜାବ ସରକାର ଦିଲ୍ଲୀ ସରକାରଙ୍କୁ ଟଙ୍କା ପଠାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏନେଇ ଦିଲ୍ଲୀ ଉପରାଜ୍ୟପାଳ ପୁଲିସ କମିଶନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ମାମଲାକୁ ଗୁରୁତର ସହ ନେଇ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଗାଡ଼ି ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୁଲିସକୁ ଚିଠି ଲେଖିଛନ୍ତି ଉପରାଜ୍ୟପାଳ ଭି.କେ ସକ୍ସେନା ।
ସେପଟେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଉପରାଜ୍ୟପାଳଙ୍କ ମାଧ୍ୟମରେ ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କେଜ୍ରିୱାଲ କହିଛନ୍ତି ଯେ ବିଜେପି ଆପଣଙ୍କ ସଂଜୀବନୀ ଯୋଜନା ଓ ମହିଳା ସମ୍ମାନ ଯୋଜନା ବନ୍ଦ କରିବାକୁ ଚାହୁଁଛି । ମାଗଣା ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟସେବା ଓ ସ୍କୁଲ ଆଦି ବନ୍ଦ କରିବାକୁ ବିଜେପି ଦିଲ୍ଲୀ ନିର୍ବାଚନ ଲଢ଼ୁଛି । ମହିଳାଙ୍କର ଉନ୍ନତି ବିଜେପି ଚାହେଁନି । ସେଥିପାଇଁ ମହିଳା ସମ୍ମାନ ଯୋଜନା ବନ୍ଦ କରିଦେବାକୁ ବିଜେପି ଚାହୁଁଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି । ତେଣୁ ଏହି ତଦନ୍ତ ନିଦେ୍ର୍ଦଶ ଦିଲ୍ଲୀ ଉପରାଜ୍ୟପାଳ ନୁହେଁ, ବରଂ ଅମିତ ଶାହଙ୍କ କାର୍ଯ୍ୟାଳୟରୁ ଆସିଛି ବୋଲି କହି କଟାକ୍ଷ କରିଛନ୍ତି କେଜ୍ରିୱାଲ ।