ଭାରତରେ ହେବ ଚେସ୍ ବିଶ୍ୱକପ୍-୨୦୨୫

 ନୂଆଦିଲ୍ଲୀ : ଚେସପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଭାରତରେ ଅନୁଷ୍ଠିତ ହେବ ୨୦୨୫ ଚେସ ବିଶ୍ୱକପ । ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ମର୍ଯ୍ୟାଦାସମ୍ପନ୍ନ ଟାଇଟଲ୍ ଏବଂ ୨୦୨୬ ଚେସ୍ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା ଅର୍ଜନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୨୧ ମସିହାଠାରୁ ଏହି ଟୁର୍ଣ୍ଣାମେଣ୍ଟ ସିଙ୍ଗଲ୍ ଏଲିମିନେସନ୍ ଫର୍ମାଟରେ ଖେଳାଯାଉଛି । ୨୦୨୫ ବିଶ୍ୱକପ୍ର ଶୀର୍ଷ ତିନି ଜଣ ଖେଳାଳି ୨୦୨୬ ଚେସ୍ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଭାରତ ଚେସ୍ ଜଗତରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଥିବା ବେଳେ ଏହି ବିଶ୍ୱକପ୍ ଆୟୋଜନ ବିଶେଷ ଭାବେ ଉସôାହଜନକ । ପାଞ୍ଚବାରର ବିଶ୍ୱ ଚାମ୍ପିଅନ ତଥା ଫିଡେ ଡେପୁଟି ପ୍ରେସିଡେଣ୍ଟ ବିଶ୍ୱନାଥନ ଆନନ୍ଦଙ୍କର ପ୍ରୟାସ ଓ ଉତ୍ତରାଧିକାର ଦେଶରେ ଚେସ୍କୁ ଜନପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତର ଯୁବ ତାରକାମାନେ ମଧ୍ୟ ଚମକ ଦେଖାଉଛନ୍ତି । ଗୁକେଶ ଡୋମ୍ମାରାଜୁ ୧୮ ବର୍ଷ ବୟସରେ ସବୁଠାରୁ କମ୍ ବୟସ୍କ ଫିଡେ ବିଶ୍ୱ ଚେସ୍ ଚାମ୍ପିଅନ ହୋଇଛନ୍ତି । ପ୍ରଜ୍ଞାନନ୍ଦ ଆର୍ ୨୦୨୩ ବିଶ୍ୱକପ୍ରେ ରନର୍ସ-ଅପ୍ ହାସଲ କରିଥିଲେ, ଆଉ ଅର୍ଜୁନ ଏରିଗାଇସି ବର୍ତ୍ତମାନ ବିଶ୍ୱରେ ପାଞ୍ଚ ନମ୍ବର ସ୍ଥାନରେ ଅଛନ୍ତି । ୨୦୨୪ରେ ଭାରତୀୟ ଓପନ ଓ ମହିଳା ଦଳ ଚେସ୍ ଓଲିମ୍ପିଆଡରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ଏହା ସହିତ ଗୁକେଶ, ଏରିଗାଇସି, ଦେଶମୁଖ ଓ ଅଗ୍ରୱାଲ ଚାରିଟି ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଭାରତରେ ଏହି ବିଶ୍ୱକପ୍ ଆୟୋଜନ ଦେଶର ଚେସ୍ ପ୍ରତିଭାଙ୍କୁ ବିଶ୍ୱ ମଞ୍ଚରେ ଆହୁରି ଲୋକପ୍ରିୟ କରିବ ବୋଲି ଆଶା କରାଯାଉଛି ।