ଅଭିଯୋଗ ପରେ ବି ହେଉନି ସମାଧାନ
ନୀଳଗିରି : ନୀଳଗିରି-ପଞ୍ଚଲିଙ୍ଗେଶ୍ୱର-ବଉଳଗଡିଆ (ପିଡବ୍ଲୁ୍ୟଡି) ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସଂଯୋଗ କରୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ପିଠକୁ । ସେମାନେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର, କୁଲଡିହା ବୁଲିବାକୁ ଆସିବାବେଳେ ପଞ୍ଚଲିଙ୍ଗେଶ୍ୱର ପିଠକୁ ଆସିବାକୁ ଭୁଲନ୍ତି ନାହିଁ । ମାତ୍ର ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ସରକାର ଉଦାସୀନ ରହିବା ପରିତାପର ବିଷୟ । ନୀଳଗିରି ବଉଳଗଡିଆ ରାସ୍ତା ଅବସ୍ଥା ଏବେ ବେହାଲ୍ ହୋଇ ପଡିଛି । ଦୈନିକ ଉକ୍ତ ରାସ୍ତା ଦେଇ ଭାରିଯାନ ଯିବାଆସିବା କରିବା ସହ ବାରିପଦା ରୁ ଭୁବନେଶ୍ୱର ବହୁ ଲୋକ ଯାତାୟତ କରନ୍ତି । ରାସ୍ତା ମରଣଯନ୍ତା ପାଲଟିଥିବା ଫଳରେ ରାସ୍ତାଉପରେ ନିର୍ଭର କରି ଯାତାୟାତ କରୁଥିବା ସାଧାରଣ ଲୋକ, ଛୋଟବଡ଼ ଯାନବାହାନ, ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ, ଦୁର୍ଘଟଣାରେ ବହୁ ଲୋକ ଶିକାର ହେଉଛନ୍ତି । ମାତ୍ର ରାସ୍ତାର ଦୂରାବସ୍ଥା ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ସୂଚନା ଅନୁଯାୟୀ ୨୦୨୩ ମସିହା ମାର୍ଚ୍ଚ ମାସ ୧୬ ତାରିଖରେ ୨୮ କୋଟି ୪୧ ଲକ୍ଷ ୫୦ ହଜାରଟଙ୍କା ଉକ୍ତ ରାସ୍ତାପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରପ୍ରାପ୍ତ ହୋଇ କାର୍ଯ୍ୟାଦେଶ ମିଳିଥିଲା । ଯାହା ୨୦୨୪ ମସିହା ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ରାସ୍ତାକାର୍ଯ୍ୟ ସମ୍ପୂର୍ଣ ହେବାର ଅବଧି ଥାଇ ଜୈନିକ ଠିକା ସଂସ୍ଥା କୁ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା । ମାତ୍ର କୁଳଡିହା ଅଭୟାରଣ୍ୟ ଇକୋ ସେନସିଟିଭ ଜୋନ କଟକଣା ପାଇଁ ବନବିଭାଗର ହସ୍ତକ୍ଷେପ ଏବଂ ବିରୋଧ କାରଣରୁ ଉକ୍ତ ସଂସ୍ଥା କାମଛାଡି ଚାଲିଯିବା ସହିତ ନିଜର କ୍ଷତିପୂରଣ ପାଇଁ ଅଦାଲତରେ ଆଶ୍ରିତ ହୋଇଛନ୍ତି । ପୁର୍ବରୁ ଉକ୍ତ ରାସ୍ତା ମରାମତି ଦାବିରେ ନୀଳଗିରି ସିପିଆଇ, ସିପିଆଇ (ଏମ୍) ପକ୍ଷରୁ ରାସ୍ତାରୋକ କରିଥିଲେ ମଧ୍ୟ ରାସ୍ତା ମରାମତି କରିବାର ପ୍ରତିଶ୍ରୁତି ଦେବା ଓ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଗତ ଜୁନ ୨ ତାରିଖ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଓଡିଶାଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ଚିଠି ଲେଖିଥିଲେ ବି ଏହାର କିଛି ସୁଫଳ ଆଜି ପ୍ରର୍ଯ୍ୟନ୍ତ ମିଳି ପାରିନାହିଁ । ଏ ସମ୍ପର୍କରେ ନୀଳଗିରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ଜେନାଙ୍କୁ ପଚାରିବାରୁ କହିଥିଲେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସନ୍ତୋଷ ପଣ୍ଡା ଅବସର ନେଇ ଯାଇଥିବାରୁ ଆମ ପାଖରେ କନିଷ୍ଠଯନ୍ତ୍ରୀ ଅଭାବ ଅଛନ୍ତି । ଏ ସମ୍ପର୍କରେ ନୀଳଗିରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ଜେନାଙ୍କୁ ପଚାରିବାରୁ କହିଥିଲେ ଠିକାସଂସ୍ଥା ଅଦାଲତରେ ଆଶ୍ରୟ ନେଇଥିବାରୁ ନୂତନ ଭାବେ ଟେଣ୍ଡର ପ୍ରକ୍ରିୟା ହେଇପାରୁ ନାହିଁ । କୋର୍ଟର ଷ୍ଟେ ଉଠିବା ପୁର୍ବରୁ ଏବେ ବିଭାଗ ପକ୍ଷରୁ ବଡବଡ ଖାଲ ଗୁଡିକୁ ବର୍ଷା ଟିକିଏ କମିଗଲେ ମରାମତି କରିବେ । ରାସ୍ତାର ଉନ୍ନତୀକରଣ ପାଇଁ ନିର୍ବାଚିତ ଜନ ପ୍ରତିନିଧି ଓ ସଚେତନ ନାଗରିକ ତତ୍ପର ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।