ଜାତୀୟ ରାଜପଥ ନିର୍ମାଣରେ ଅନିୟମିତତା ବଢୁଛି ଦୁର୍ଘଟଣା, କର୍ତ୍ତୃପକ୍ଷ ନିରବ
ଚମ୍ପୁଆ : ୨୦ ନଂ ଜାତୀୟ ରାଜପଥ ମରାମତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନିର୍ମାଣର ଏକମାସ ଭିତରେ ରାସ୍ତାରୁ ପିଚୁ ଉଠି ବିଭିନ୍ନ ଗର୍ତ୍ତ ସୃଷ୍ଟି ହେଲାଣି । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଚି ।
ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ୨୦ ନଂ ଜାତୀୟ ରାଜପଥ ଚମ୍ପୁଆରେ । ରିମୁଳି ଠାରୁ ଚମ୍ପୁଆ ଦେଇ ରାଞ୍ଚି ପର୍ଯ୍ୟନ୍ତ ଯାଇଥିବା ଏହି ରାଜପଥ ଏକ ବ୍ୟସ୍ତବହୁଳ ସଡକ ପଥ । ଖଣି ଅଞ୍ଚଳରୁ ପ୍ରତ୍ୟହ ଶହଶହ ସଂଖ୍ୟାରେ ଭରିଯାନ ଗୁଡିକ ଏହି ରାସ୍ତା ଦେଇ ଖଣିଜ ଦ୍ରବ୍ୟ ପରିହନ କରୁଥିବା ସହ ଏହା ଏକ ଉପଖଣ୍ଡ ସଦରମହକୁମା । ବ୍ଲକର ୧୭ଟି ପଞ୍ଚାୟତର ବାସିନ୍ଦାଙ୍କ ସମେତ ପଡୋଶୀ ଝାଡଖଣ୍ଡ ଓ ମୟୂରଭଞ୍ଜ ଅଞ୍ଚଳର ଲୋକମାନେ ଅନେକାଂଶରେ ଏହି ସହର ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କ ପାଇଁ ଯାତାୟତର ଏକମାତ୍ର ମାଧ୍ୟମ ଏହି ରାଜପଥ ହୋଇଥିବା ବେଳେ କିନ୍ତୁ ଦୁଃଖର ବିଷୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ରାସ୍ତାଟିର ମରାମତି କରିବାର ଏକମାସ ଭିତରେ ରାସ୍ତାରୁ ପିଚୁ ଉଠି ଗର୍ତ୍ତ ମାନ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କର ନୀରବତା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନନ୍ଦ୍ରିକା ପାଇଁ ଏଠି ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ଶହଶହ ଗାଡିମଟର ମଧ୍ୟ ଅଯଥାରେ ହଇରାଣ ହରକତ ହେଉଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବଂ ଏଠାରେ ର୍ନିବାଚନ ଡିସଭରସାଲ କେନ୍ଦ୍ର ହୋଇଥିବାରୁ ଅଧିକ ସଂଖ୍ୟକ ଗାଡିମଟର ଚଳପ୍ରଚଳ କରିବାର ସମ୍ଭାବନା ରହିଅଛି । ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏ ରାସ୍ତାର ମରାମତି କରିବାକୁ ଚମ୍ପୁଆ ବିକାଶ ପରିଷଦ ତରଫରୁ ଦାବି କରାଯାଇଛି ।