କାର ଧକ୍କାରେ ଅଟୋ ଚୁରମାର
ବେତନଟୀ: ବେତନଟୀ ଥାନା ଅଧୀନ ୧୮ନମ୍ୱର ଜାତୀୟ ରାଜପଥ କାଠପାଳ ୱିମିଂମିଲ ଠାରେ ଆଜି ଅପରାହ୍ନରେ ଘଟିଯାଇଥିବା ଦୁର୍ଘଟଣାରେ ବ୍ୟାଟେରୀ ଚାଲିତ ଅଟୋ ଚୁରମାର ହୋଇଯାଇଥିବା ବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଜେଏଚ-୦୧ବିଡବ୍ଲୁ୍ୟ - ୦୦୦୩ ନମ୍ବର ବିଶିଷ୍ଟ କାର ଯୋଗେ ଝାଡଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳର ଯୁବକ ଓ ଯୁବତୀମାନେ ପୁରୀ ରଥଯାତ୍ରାରୁ ରାଞ୍ଚି ଅଭିମୁଖେ ଆସୁଥିବା ବେଳେ ଅଟୋଚାଳକ ଜଣକ ନିଜର ବ୍ୟାଟେରୀ ଚାଳିତ ଅଟୋ ରାସ୍ତା ପାର୍ଶ୍ୱରେ ରଖି ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଦୃତଗାମୀ କାର ଚାଳକ କାର ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ କାରଟି ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଅଟୋକୁ ଧକ୍କାଦେଇ ଜଙ୍ଗଲ ଭିତରକୁ ପଶିଯାଇଥିଲା । କାର ଭିତରେ ଥିବା ଯୁବକ ଓ ଯୁବତୀମାନେ ସାମାନ୍ୟ ଆହତ ହୋଇଥିବ ଜଣାପଡିଛି । ଆହତଙ୍କୁ ଉଦ୍ଧାରକରି ସ୍ଥାନୀୟଲୋକେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ ଚୁରମାର ହୋଇଯାଇଥିବା ଦୁର୍ଘଟଣାଗ୍ରସ୍ତ ବ୍ୟାଟେରୀ ଚାଳିତ ଅଟୋ ସମେତ କାରକୁ ଜବତକରି ତଦନ୍ତ ଆରମ୍ଭ କରିଛି ।