ଅବସର ପୂର୍ବରୁ ବାବୁ ହଟହଟା ; ଗିରଫ କଲା ଭିଜିଲାନ୍ସ

ଅବସର ପୂର୍ବରୁ ବାବୁ ହଟହଟା ; ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ  । ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଖାପାଖି ୧୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିବା ସହ ନଗଦ ୧୫ ଲକ୍ଷ ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଗତକାଲି ପ୍ରଦୀପ ମହାନ୍ତିଙ୍କ ଘର ସମେତ ୯ଟି ଠିକଣାରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା  । ଭୁବନେଶ୍ୱର ମେତ୍ରୀବିହାରସ୍ଥିତ ଘର,  କଟକସ୍ଥିତ ସରକାରୀ କାର୍ଯ୍ୟାଳୟ, ଖୋର୍ଦ୍ଧା ଟାଙ୍ଗୀସ୍ଥିତ ପୈତୃକଘର ଓ ପୁରୀ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଖାପାଖି ୧୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି  । ଏହାସହ ନଗଦ ୧୫ ଲକ୍ଷ ଟଙ୍କା ସହିତ ୭୦୦ ଗ୍ରାମ୍‌ ଓଜନର ସୁନାଗହଣା ମଧ୍ୟ ଜବତ କରାଯାଇଛି । ସେହିଭଳି ତାଙ୍କ ନାମରେ ଚାରୋଟି ବିଳାସପୂର୍ଣ୍ଣ ଅଟ୍ଟାଳିକା, ୧୫ ଏକର ଜମିରେ ଫାର୍ମ ହାଉସ୍‌, ୧୨ରୁ ଅଧିକ ଦାମୀ ପ୍ଲଟ୍‌ ଥିବା ଜଣାପଡ଼ିବା ପରେ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି ।

୧୯୯୦ ମସିହାରେ ଜାମଶୋଳାରେ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ପ୍ରଦୀପ ମହାନ୍ତି  । ଚଳିତ ମାସ ୩୧ ତାରିଖରେ ଅବସର ନେବାକୁ ଥିବାବେଳେ ଭିଜିଲାନ୍ସ ହାବୁଡରେ ପଡି ହଟହଟା ହୋଇଛନ୍ତି ବାବୁ  । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ କରିବା ପରେ ବାରିପଦା ଏମ୍‌ଭିଆଇ ଭାବେ ଯୋଗ ଦେଇଥିଲେ  । ପରେ ଜଗତସିଂହପୁର ଜିଲ୍ଲା ଆର୍‌ଟିଓ ଇନ୍‌ଚାର୍ଜ, କଟକ ଅତିରିକ୍ତ ଆର୍‌ଟିଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ଭୁବନେଶ୍ୱର ଏମ୍‌ଭିଆଇ, ଚଣ୍ଡିଖୋଲ ଏମ୍‌ଭିଆଇ, ଅନୁଗୁଳ ଏମ୍‌ଭିଆଇ, କଟକ ଏମ୍‌ଭିଆଇ, ନୟାଗଡ ଆରଟିଓ ଓ ଭୁବନେଶ୍ୱର ଆର୍‌ଟିଓ ଭାବେ କାର୍ଯ୍ୟ ତୁଲାଇଥିଲେ  । ପରେ ପଦୋନ୍ନତି ପାଇ ଦକ୍ଷିଣ ମଣ୍ଡଳ ଡେପୁଟି କମିଶନର ଭାବେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଯୋଗଦେଇଥିଲେ । ୨୦୨୨ ମସିହାରେ ଭୁବନେଶ୍ୱର ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଜଏଣ୍ଟ କମିଶନର ଭାବେ ଯୋଗ ଦେଇଥିଲେ । ୨୦୨୩ରୁ ସେ କଟକସ୍ଥିତ ଏସ୍‌ଟିଏ କାର୍ଯ୍ୟାଳୟରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ଥିଲେ ।