ମଦ ତାତି: ଶାସକ-ବିରୋଧୀ ମୁହାଁମୁହିଁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଆଜିବି ଗୃହରେ ମଦ ତାତି ଦେଖିବାକୁ ମିଳିଛି  । ମଦ ତାତିରେ ପ୍ରଶ୍ନକାଳ ମିଳେଇ ଯାଇଥିଲା  । ହେଲେ ଶୂନ୍ୟକାଳରେ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଥିଲେ  । ମଦମୃତୁ୍ୟ ପ୍ରସଙ୍ଗରେ ପରସ୍ପରକୁ କାଦୁଅ ଫିଙ୍ଗିଥିଲେ  । ନାରାବାଜି ଓ ହଟ୍ଟଗୋଳରେ ବେଶ୍ କିଛି ସମୟ ଗୃହ କମ୍ପି ଉଠିଥିଲା  । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ବିଜେଡ଼ି ବିଧାୟକମାନେ ଚଢ଼ିବାକୁ ଉଦ୍ୟମ କରିବା ସହ ହଙ୍ଗାମା କରିଥିଲେ  ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆଡ଼ିଆସି ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ  । ‘ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଆମର ଦାବି’, ‘ମୋହନ ମାଝୀ ଡାଉନ ଡାଉନ’ ନାରା ଦେଇ ଗୃହକୁ କମ୍ପାଇ ଦେଇଥିଲେ  । ଅପରପକ୍ଷରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନକାଳ ଜାରି ରଖିଥିଲେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଯୋଗୁଁ କିଛି ଶୁଣାଯାଉନଥିଲା  । ଗୃହରେ ବିରୋଧୀ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରୁ ଗୃହକାର୍ଯ୍ୟ ଚଳାଇବା ସମ୍ଭବପର ହୋଇନଥିଲା  । ଫଳରେ ବାଚସ୍ପତି ଗୃହକୁ ୧୦ଟା ୪୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ  ।
ଶୂନ୍ୟକାଳ ଆରମ୍ଭ ହେବା ପରେ ଶାସକ ଦଳ ବିଧାୟକ ବ୍ୟୋମକେଶ ରାୟ କହିଥିଲେଯେ, ମଦମୃତୁ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି  । ଜଣେ ମନ୍ତ୍ରୀ କହିଥିଲେ ରାଜ୍ୟରେ ମଦ ବନ୍ଦ କରାଯିବ  । ହେଲେ ଅବକାରୀ ମନ୍ତ୍ରୀ କହିଲେ ନୂଆ ଦୋକାନ ଖୋଲିବନି  । ବିଜେପି ସରକାରରେ ବିଭାଗ କି ଅଫିସର ଉପରେ ମନ୍ତ୍ରୀଙ୍କର ନିୟନ୍ତ୍ରଣ ନାହିଁ  । ବିଷାକ୍ତ ମଦ ପିଇ ଲୋକେ ମରୁଛନ୍ତି  । ଯଦି ସରକାର ନଚେତିବେ ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ଘଟଣା ଘଟିବାର ଆଶଙ୍କା ରହିଛି  । ବିଜେଡ଼ି ସରକାର ଅମଳରେ ମଦମୃତୁ୍ୟ କାରଣରୁ କାଳନ୍ଦୀ ବେହେରା ଓ ଏୟୁ ସିଂହଦେଓ ଇସ୍ତଫା ଦେଇଥିଲେ  । ଏବେ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ  । 
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଥିଲେ  । ସେ କହିଥିଲେଯେ, ରାଜ୍ୟରେ ମଦର ବନ୍ୟା ହେଉଛି  । ଓଡ଼ିଶା ପାଇଁ ଏହା ଶୁଭଙ୍କର ନୁହେଁ  । ରାଜସ୍ୱ ନାଁରେ ମଦର ବନ୍ୟା ହେଉଛି  । ମଦ ମୁକ୍ତି କଲେ ଲୋକେ ତ୍ରାହି ପାଇବେ  । ନୈତିକତା ଦୃଷ୍ଟିରୁ ସେ ମଧ୍ୟ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ  । 
ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରି କହିଥିଲେଯେ, ମହିଳା ସଶକ୍ତିକରଣ କଥା କହି ୨୪ ବର୍ଷ ଶାସନ କରିଥିଲା ବିଜେଡ଼ି  । କିନ୍ତୁ ମହିଳା ବାଚସ୍ପତିଙ୍କୁ ଅସମ୍ମାନୀତ କରାଯାଉଛି  । ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତୁ୍ୟ ହୋଇଥିଲା  । ମୁଲତବୀ ପ୍ରସ୍ତାବ ଦେଇ ବିଜେଡ଼ି ପଳାୟନପନ୍ଥୀ ହେଉଛି ବୋଲି ସେ କହିଥିଲେ  । ସେହିପରି ଧ୍ରୁବ ସାହୁ ମଧ୍ୟ ଶାସକ ଦଳକୁ ଆକ୍ଷେପ କରି ସମାଲୋଚନା କରିଥିଲେ  । ଶୂନ୍ୟକାଳରେ ବିଧାୟକ ସର୍ବଶ୍ରୀ ଜୟ ନାରାୟଣ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନାତନ ବିଜୁଳି, ଗୌତମ ବୁଦ୍ଧ ଦାସ, ନୀଳମାଧବ ହିକକା, ଇରାଶିଷ ଆଚାର୍ଯ୍ୟ ଓ ଗଣେଶ୍ୱର ବେହେରା ପ୍ରମୁଖ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ  । ଅପରପକ୍ଷରେ ଧ୍ରୁବ ଚରଣ ସାହୁଙ୍କ ଏକ ବିବୃତିକୁ ବାଚସ୍ପତି ଗୃହର ବିବରଣୀରୁ ବାଦ୍ ଦେଇଥିଲେ  ।