ମହାଶିବରାତ୍ରି : ପ୍ରମୁଖ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼
Mahasivratri

ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛିି । ବିଶେଷ କରି ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଗଡଗଡେଶ୍ୱର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡର ଲଡୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ୱର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ଆଦି ଶୈବପୀଠରେ ଭୋର ବେଳାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ସାରାଦିନ ଉପବାସ କରି ଓ ରାତି ଉଜାଗର ରହି ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ ।
ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସମସ୍ତେ ମହାଦୀପ ଦର୍ଶନ ପାଇଁ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ଉଜାଗର ରହି ଜାଗର ଜାଳିବେ ବ୍ରତଧାରୀମାନେ । ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।