ଅଙ୍ଗନବାଡ଼ି ପାଇଁ ଯୋଗ୍ୟତା ସ୍ନାତକ

 ଭୁବନେଶ୍ୱର :  ଏଣିକି ଅଙ୍ଗନବାଡ଼ି କର୍ମୀଙ୍କ ପାଇର୍ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିବ  । ୧୦୮ ଆମ୍ବୁଲାନ୍ସ ପାଇଁ ୫ ବର୍ଷରେ ୨୩୯୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି  । ଓଡ଼ିଶା ମଙ୍ଗଳ ସେବା ଓ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ କରାଯାଇ ୨୪ ନୂଆ ପଦବୀ ସୃଷ୍ଟି ହେବ  । ଏଭଳି ୬ ପ୍ରସ୍ତାବ ଉପରେ ଆଜି କ୍ୟାବିନେଟର ମୋହର ଲାଗିଛି ।
ରାଜ୍ୟ କ୍ୟାବିନେଟର ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା  । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  । ମୋଟ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଥିଲା  ।
ଅଙ୍ଗନବାଡ଼ି କର୍ମୀଙ୍କ ସର୍ବନିମ୍ନ ଯୋଗ୍ୟତା ପୂର୍ବରୁ ମାଟ୍ରିକ ଥିଲା  । ଏବେ କିନ୍ତୁ ଏଥିରେ ସଂଶୋଧିତ କରାଯାଇ ସର୍ବନିମ୍ନ ଯୋଗ୍ୟତାକୁ ସ୍ନାତକ କରାଯାଇଛି  । ତେବେ ପୂର୍ବରୁ କାମ କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବନାହିଁ  । ତେଣୁ କନିଷ୍ଠ ବର୍ଗ ସେବା (ପରିଦର୍ଶିକା) ପଦବୀରେ ସଂଶୋଧନ କରାଯାଇଛି  । 
୧୦୮ ଆମ୍ବୁଲାନ୍ସ ସେବା ପାଇଁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୨୩୯୮ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି  । ବାର୍ଷିକ ୧୧ରୁ ୧୨ ଲକ୍ଷ ରୋଗୀଙ୍କୁ ଏହା ସେବା ଯୋଗାଇବାର ଲକ୍ଷ୍ୟ ରହିଛି  । ରାଜ୍ୟ କ୍ୟାବିନେଟରେ ଏହି ବ୍ୟୟବରାଦକୁ ମଞ୍ଜୁର କରାଯାଇଛି  ।
ବୈତରଣୀ ବାମ ପାଶ୍ୱର୍ କେନାଲର ୦ କିମି ଠାରୁ ୨୮.୫ କିମି ମଧ୍ୟରେ ୨୨୨୧ ହେକ୍ଟର ଏବଂ ବୈତରଣୀ ଦକ୍ଷିଣ ପାଶ୍ୱର୍ କେନାଲର ୦ କିମି ଠାରୁ ୯ କିମି ମଧ୍ୟରେ ୧୨୨୯ ହେକ୍ଟର ଜମିକୁ ଜଳସେଚିତ କରାଯିବ  । ଏଥିପାଇଁ ୧୦୮ କୋଟିର ଟେଣ୍ଡରକୁ ଅନୁମୋଦନ ପ୍ରଦାନ କରାଯାଇଛି  ।  ପ୍ରକଳ୍ପଟି ୧୮ ମାସରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରହିଛି  । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘଷିପୁରା ବ୍ଳକରେ ଚାଷୀମାନେ ଉପକୃତ ହେବେ  । ଓଡ଼ିଶା ଅବକାରୀ ଅଧିନିୟମରେ ସଂଶୋଧନ କରାଯାଇ ଡିଷ୍ଟିଲାରୀ, ବଟଲିଂ ୟୁନିଟ୍ ଓ ବ୍ରିୱେରୀ ୟୁନିଟ୍ଗୁଡ଼ିକ ନିମନ୍ତେ ଏକ୍ସଟ୍ରା ଆୱାର ଅପରେସନ୍ ଫି’ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି  । ଯାହାଦ୍ୱାରା ଅଧିକ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ‘ଓଡ଼ିଶା ମଙ୍ଗଳ ସେବା’ ଏବଂ ‘ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା’ର ପୁନର୍ଗଠନ କରାଯାଇ ବିଭିନ୍ନ ପାହ୍ୟାରେ ୨୪ ନୂତନ ପଦବୀ ସୃଷ୍ଟି କରିବାକୁ ନିଦେ୍ର୍ଦଶ ଦିଆଯାଇଛି  । ଏହି ପୁନର୍ଗଠନରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପାହ୍ୟାରେ ୨ଟି, ଉପନିଦେ୍ର୍ଦଶକ ପାହ୍ୟାରେ ୧୧ଟି, ଯୁଗ୍ମ ନିଦେ୍ର୍ଦଶକ ପାହ୍ୟାରେ ୮ଟି ଏବଂ ଅତିରିକ୍ତ ନିଦେ୍ର୍ଦଶକ ପାହ୍ୟାରେ ୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି  । ଅପରପକ୍ଷରେ ଅବକାରୀ କନେଷ୍ଟବଳ କ୍ୟାଡ଼ରକୁ ଡିଭିଜିନାଲ କ୍ୟାଡ଼ରରୁ ଜିଲ୍ଲା କ୍ୟାଡ଼ରରେ ପରିଣତ କରାଯାଇଛି  ।