ଅନିଲ ଅମ୍ବାନୀଙ୍କୁ ଇଡ଼ିର ସମନ

ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୧୭,୦୦୦ କୋଟି ଟଙ୍କାର ଏକ ବଡ଼ ଧରଣର ଋଣ ଠକେଇ ମାମଲାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତାଙ୍କୁ ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାକୁ ନେଇ ନିକଟରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକର ଏକାଧିକ ଠିକଣାରେ ଚଢ଼ାଉ କରାଯାଇଥିଲା । ସୂଚନା ଅନୁସାରେ, ଏହି ମାମଲା ମନି ଲଣ୍ଡରିଂ ନିବାରଣ ଅଧିନିୟମ (PMLA) ଅଧୀନରେ ରୁଜୁ କରାଯାଇଛି । ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ, ୟେସ୍ ବ୍ୟାଙ୍କରୁ ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣ ଠକେଇ କରାଯାଇଛି । ଅଭିଯୋଗ ରହିଛି ଯେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କର ପ୍ରମୋଟରମାନଙ୍କୁ ଲାଞ୍ଚ ଦେଇ ଏହି ଋଣ ହାସଲ କରାଯାଇଥିଲା । ଏହା ବ୍ୟତୀତ, ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ଦ୍ୱାରା ପ୍ରାୟ ୧୪,୦୦୦ କୋଟି ଟଙ୍କାର ଆଉ ଏକ ଋଣ ଠକେଇ ଅଭିଯୋଗ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛି ।