ଶିମିଳିପାଳ ଜଗିବେ ସଶସ୍ତ୍ର ପୁଲିସ
ଭୁବନେଶ୍ୱର: ଏଣିକି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଉପରେ ନଜର ରଖିବ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ । ୧୩୧ ଜଣଙ୍କୁ ନେଇ ଏହି ଟିମ୍ ଗଠନ ହେବାକୁ ଥିବା ବେଳେ ଏହି ସଶସ୍ତ୍ର ପୁଲିସ କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ସବ୍-ଇନସପେକ୍ଟର, ୩ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ହାବିଲଦାର, ୩ ଡ଼୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବେ ଏବଂ ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ । ଏ ସମ୍ପର୍କରେ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବାକୁ ଥିବା ବେଳେ କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ବୋଲି ଜଣାପଡ଼ିଛି ।