୧୩ରୁ ଜଗଦ୍ଧାତ୍ରୀ ମେଳା

ାା ପ୍ରଭାନୁ୍ୟଜ ।ା ବାରିପଦା /ସାରସକଣା: ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ବଢାଉଥିବା ବହୁ ପୁରାତନ ଜଗଦ୍ଧାତ୍ରୀ ପୂଜା ଚଳିତ ମାସ ୧୦ ତାରିଖରୁ ଅନୁଷ୍ଠିତ ହେଉଛି । ସେହିପରି ରାଜ୍ୟସ୍ତରୀୟ ଭଞ୍ଜପୁର ଜଗଦ୍ଧାତ୍ରୀ  ମେଳା ୧୩ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନେଇ ଜଗଦ୍ଧାତ୍ରୀ ପୂଜା କମିଟିର କର୍ମକର୍ତ୍ତା ବିଧିବଦ୍ଧ ଭାବେ ପ୍ରେସ୍ମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।  ଆୟୋଜିତ ପ୍ରେସ ମିଟରେ ଏହି ପୂଜା କମିଟିର ଉପସଭାପତି ଜ୍ଞାନେନ୍ଦ୍ର ଦାସ, ମେଳା କମିଟିର ଅଧ୍ୟକ୍ଷ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଉପାଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ କମିଟି ସଭାପତି ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବଂ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ହୋଇ ମେଳା ଓ ପୂଜାର ବିସ୍ତୃତ ବ୍ୟବସ୍ଥାର ସୂଚନା ଦେଇଛନ୍ତି । ଭଞ୍ଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟି ଆନୁକୂଲ୍ୟରେ ମା’ ଜଗଦ୍ଧାତ୍ରୀଙ୍କ ୭୨ତମ ପୂଜା ଆୟୋଜିତ ହେଉଛି । ତେବେ ନଭେମ୍ବର ୧୩ରୁ ୨୪ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟସ୍ତରୀୟ ମେଳାରେ ୩୫୦ରୁ ଊଦ୍ଧ୍ୱର୍ ଷ୍ଟଲ ପ୍ରଦର୍ଶିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ରହିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, କୁଇଜ, ଚିତ୍ରାଙ୍କନ, ସଙ୍ଗୀତ ଆଦି ପ୍ରତିଯୋଗିତା ଆସନ୍ତା ୭ତାରିଖରୁ ୯ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ମୋଡେଲର ତୋରଣ ପ୍ରସ୍ତୁତ କରି ଏହି ମେଳା ଜିଲ୍ଲାବାସୀଙ୍କୁ ଭେଟି ଦେଉଥିବାବେଳେ ବାହାର ରାଜ୍ୟର ଲୋକଙ୍କୁ ମଧ୍ୟ ଏହା ଆକର୍ଷିତ କରିବାରେ ସଫଳ ରହି ଆସିଛି । ଏହାକୁ ବଳବତ୍ତର ରଖିବା ପାଇଁ ଚଳିତ ବର୍ଷ ଜଗଦ୍ଧାତ୍ରୀ ମା’ଙ୍କ ପାଇଁ ନେପାଳ ଦେଶର ଜାନକୀ ମନ୍ଦିରର ଅବିକଳ ନକଲ ତୋରଣର ପ୍ରସ୍ତୁତି କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି, ଯାହା ଲୋକଙ୍କୁ ଖୁବ ଆକର୍ଷଣ କରିବ । ସେହିପରି ପ୍ରତ୍ୟେକ ବର୍ଷପରି ଚଳିତ ମେଳା ସମୟରେ ମଧ୍ୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଲୋକଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସମ୍ପୂର୍ଣ୍ଣ ମେଳା ସିସିଟିଭି ସୁରକ୍ଷା ଭିତରେ ରହିବ ଏବଂ ପ୍ରଶାସନିକସ୍ତରରୁ ସମ୍ପୂର୍ଣ୍ଣ ପୁଲିସ ବିଭାଗର ସାହାର୍ଯ୍ୟ ସହଯୋଗ ମିଳିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଥିଲେ । ଏହି ମେଳାର ସମସ୍ତ କାର୍ଯ୍ୟକ୍ରମ ସୁଦୂରପ୍ରସାରି କରିବା ପାଇଁ ସବୁବର୍ଷ ଗଣମାଧ୍ୟମ ନିଜର ଚେଷ୍ଟା କରି ଆସୁଥିବାରୁ ଆଜି ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇପାରିଛି । ସେହିପରି ଗଣମାଧ୍ୟମ ପ୍ରତିନିଧି ସବୁବେଳେ ସହଯୋଗ କରନ୍ତୁ ଏହି ମେଳାରେ ମାନ ବୃଦ୍ଧି କରିବା ପାଇଁ ବୋଲି ସାନନ୍ଦ ମାରାଣ୍ଡି କହିଥିଲେ । ମେଳାର ପ୍ରତ୍ୟେକ ଦିନର ସାଂସ୍କୃତିକ ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିବିଶେଷ ସିନେଭିନେତା, ବଲିଉଡର ଗୀତିକାର ପ୍ରମୁଖ ଯୋଗ ଦେବେ ବୋଲି ଯୁବ ସଂଗଠକ ପ୍ରିତମ ପଣ୍ଡା ପ୍ରକାଶ କରିଥିଲେ ।