୭ଶହ କେଜି ଡ୍ରଗ୍ସ ଜବତ, ୮ ଇରାନୀଆନ ଗିରଫ 

 ନୂଆଦିଲ୍ଲୀ :  ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ଭାରତୀୟ ଜଳସୀମାର ଏକ ଅଣପଞ୍ଜୀକୃତ ଜାହାଜରୁ ପ୍ରାୟ ୭୦୦ କିଲୋଗ୍ରାମ ୍ ସାଇକୋଟ୍ରୋପିକ୍ ଡ୍ରଗ୍ସ ମେଥାମ୍ଫେଟାମିନ୍ ଜବତ କରିଛି । ଗୁଜରାଟ ପୁଲିସ ଓ ଭାରତୀୟ ନୌସେନାର ମିଳିତ ଅପରେସନରେ ଗୁଜରାଟର ପୋରବନ୍ଦର ଠାରେ ଅଣପଞ୍ଜୀକୃତ ଜାହାଜକୁ ଠାବ କରାଯାଇଛି । ଜବତ ମେଥାମ୍ଫେଟାମିନର ମୂଲ୍ୟ ପାଖାପାଖି ୧୭୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବିନା କୌଣସି ପରିଚୟ କାଗଜପତ୍ରରେ ଜାହାଜରେ ଥିବା ୮ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ସେମାନେ ନିଜକୁ ଇରାନୀ ନାଗରିକ ବୋଲି ଦାବି କରିଛନ୍ତି । ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଅପରେସନ୍ (ଏନ୍ସିବି) ଜ୍ଞାନେଶ୍ୱର ସିଂହ କହିଛନ୍ତି ଯେ, ଏକ ଅଣପଞ୍ଜୀକୃତ ଜାହାଜ ଯେଉଁଥିରେ କୌଣସି ଏଆଇଏସ୍ ଲଗାଯାଇନାହିଁ, ତାହା ନାର୍କୋଟିକ୍ ଡ୍ରଗ୍ସ କିମ୍ବା ସାଇକୋଟ୍ରୋପିକ୍ ପଦାର୍ଥ ନେଇ ଭାରତୀୟ ଜଳସୀମାରେ ପ୍ରବେଶ କରିବ ବୋଲି ଗୁଇନ୍ଦା ସୂଚନା ମିଳିଥିଲା । ଡିଡିଜି କହିଛନ୍ତି, ଏହି ଗୁଇନ୍ଦା ସୂଚନା ଆଧାରରେ ସାଗର-ମନ୍ଥନ୍-୪ ନାମକ ଅପରେସନ୍ କୋଡ୍ ଆରମ୍ଭ କରାଯାଇଥିଲା ଏବଂ ଭାରତୀୟ ନୌସେନା ଏହାର ମିଶନ ନିୟୋଜିତ ସାମୁଦ୍ରିକ ପାଟ୍ରୋଲିଂ ସମ୍ପତ୍ତିକୁ ଏକତ୍ରିତ କରି ଜାହାଜକୁ ଚିହ୍ନଟ କରିଥିଲା ଏବଂ ଏଥିରେ ସାମିଲ କରାଯାଇଥିଲା । ବିଦେଶୀ ଡ୍ରଗ୍ସ ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିମାନଙ୍କଠାରୁ ସହାୟତା ମାଗିବା ସହ ଡ୍ରଗ୍ସ ସିଣ୍ଡିକେଟର ଆଗୁଆ ଓ ପଛୁଆ ଲିଙ୍କକୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । 
ବେଆଇନ ଡ୍ରଗ୍ସ ଚୋରା ଚାଲାଣ ଯୋଗୁଁ ଜାତୀୟ ନିରାପତ୍ତା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ପାଇଁ ଏନସିବି ମୁଖ୍ୟାଳୟର ଅପରେସନ୍ ବ୍ରାଞ୍ଚର ଅଧିକାରୀ ଏବଂ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ଗୁଜରାଟ ପୁଲିସର ଅପରେସନ୍/ଇଣ୍ଟେଲିଜେନ୍ସ ୱିଙ୍ଗର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଚଳିତ ବର୍ଷ ପ୍ରାରମ୍ଭରେ ‘ସାଗର ମନ୍ଥନ୍' ଅଭିଯାନ ଆରମ୍ଭ କରିଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏନସିବି, ନୌସେନା ଏବଂ ଗୁଜରାଟ ପୁଲିସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ) ମିଳିତ ଭାବେ କରିଥିବା ଏହି ଅପରେସନ ସରକାରଙ୍କ ଦୂରଦୃଷ୍ଟି ପ୍ରତି ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୧ ଜଣ ଇରାନୀ ନାଗରିକ ଏବଂ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ତିନୋଟି ମାମଲାରେ ଗିରଫ କରାଯାଇଛି ଏବଂ ସମସ୍ତେ ବିଚାର ଅପେକ୍ଷାରେ ଜେଲରେ ଅଛନ୍ତି ଏବଂ ଗତ ୯ ମାସ ମଧ୍ୟରେ ପୋରବନ୍ଦର ନିକଟ ଆରବ ସାଗରରୁ ଏକାଧିକ ହାଇପ୍ରୋଫାଇଲ ଅପରେସନରେ ୪.୦ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଛି ।  ଏନ୍ସିବି, ଗୁଜରାଟ ଏଟିଏସ୍ ଏବଂ ନୌସେନା ସମେତ ସୁରକ୍ଷା ଏଜେନ୍ସି ମିଳିତ ଅପରେସନ୍ କରିଥିଲେଡ୍ରଗ୍ସ ଜବତ ମାମଲାରେ ଜାହାଜରେ ଥିବା ୫ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଗିରଫ କରାଯାଇଛି । ଅନ୍ୟ ଏକ ବଡ଼ ଅପରେସନରେ ୬୦ କୋଟି ଟଙ୍କା ମୂଲ୍ୟର ୧୭୩ କେଜି ଡ୍ରଗ୍ସ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । କିଛି ଦିନ ତଳେ ସେହି ଅଞ୍ଚଳରୁ ୬୦୦ କୋଟି ଟଙ୍କା ମୂଲ୍ୟର ୮୬ କେଜି ହେରୋଇନ୍ ଜବତ ହୋଇଥିଲା ।