ଜାଗ୍ରତ ଓ ସ୍ୱାବଲମ୍ବୀ ହେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ଭୁବନେଶ୍ୱର: ଜାଗ୍ରତ ଓ ସ୍ୱାବଲମ୍ବୀ ହୁଅନ୍ତୁ । ପାଠପଢ଼ିଲେ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରିବେ । ଆପଣଙ୍କର ବିକାଶ ହେବା ସହ ରାଜ୍ୟ ଓ ଦେଶର ବି ପ୍ରଗତି ହୋଇପାରିବ । ନୟାଗଡ଼ର କାଳିଆପଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ଆହ୍ୱାନ ଦେଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡିଶା ଗସ୍ତରେ ଆସିଛନ୍ତି । ସୋମବାର ଅପରାହ୍ନରେ ସେ ଛତିଶଗଡର ରାୟପୁରରୁ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଷ୍ଟ୍ରପତି ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଯାତ୍ରା କରି ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ ।
କାଳିଆପଲ୍ଲୀ ଠାରେ ଆୟୋଜିତ ସଭାରେ ଜୟ ଜଗନ୍ନାଥ, ଜୟ ନୀଳମାଧବରୁ ରାଷ୍ଟ୍ରପତି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଏହି ଅଞ୍ଚଳର ଚମକôାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଏଠାରେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ପ୍ରୋସôାହନ ମିଳିବ । ଏହି ସ୍ଥାନ ଏବଂ ଅଞ୍ଚଳର ବିକାଶରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ, କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ସାକାର ରୂପ ଦେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ । ରାଷ୍ଟ୍ରପତି କହିଥିଲେ, ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବିଶେଷତ୍ୱ । ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଦିବାସୀ ଭାଇ ଓ ଭଉଣୀମାନେ ଜଙ୍ଗଲ, ବୃକ୍ଷ ଆଦିକୁ ଦେବତା ଭାବେ ପୂଜା କରିଥାନ୍ତି । ଆଦିବାସୀଙ୍କ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି । ଏହି ବିଶ୍ୱାସ, ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର । ଆଦିବାସୀ ଭାଇ ଓ ଭଉଣୀମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋସôାହନ ସହିତ ସେମାନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । କଲ୍ୟାଣମୂଳକ ଯୋଜନା ବିଷୟରେ ସଚେତନ ହେବା ଏବଂ ସେଗୁଡିକର ଲାଭ ଉଠାଇବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେଯେ, ଲୋକମାନଙ୍କର ସହଯୋଗ ଏବଂ ଭାଗିଦାରୀ ଦ୍ୱାରା ସରକାରୀ ଯୋଜନାଗୁଡିକ ସଫଳ ହୋଇପାରିବ । ଉଦବୋଧନ କାଳରେ ରାଷ୍ଟ୍ରପତି କଣ୍ଟିଲୋ ନୀଳମାଧବ, କଣ୍ଟେଇମୁଣ୍ଡି ବାଇଗଣ, କଣ୍ଟିଲୋର ପ୍ରସିଦ୍ଧ କଂସା ବାସନ ଓ ସର୍ବୋପରି ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ରାଷ୍ଟ୍ରପତି ନୀଳମାଧବ ମନ୍ଦିର ପରିସରରେ ଥିବା ଲିଫ୍ଟକୁ ଉଦଘାଟନ କରିବା ସହ ସେଥିରେ ଚଢ଼ି ମନ୍ଦିର ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ବାଚସ୍ପତି ସୁରମା ପାଢୀ, ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଜୟ କୁମାର ଦଳବେହେରା ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ସଭାପତି ଏବଂ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।