ବିଜେଡିର ମଙ୍ଗ ଧରିଲେ ରନ୍ଧାରୀ

 ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ବିଜେଡିର ମଙ୍ଗ ଧରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଜିଲ୍ଲା ସଭାପତି ଭାବେ ମୋହର ମାରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପକେଶରୀ ଦେଓ ଦଳ ତରଫରୁ ସ୍ପଷ୍ଟ କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ରନ୍ଧାରୀଙ୍କ ସମର୍ଥକ ମହଲରେ ଆନନ୍ଦ ଖେଳିଯାଇଛି । ସଭାପତି ହେବା ପରେ ମନୋହର କହିଛନ୍ତି, ଆଗାମୀଦିନରେ ତୃଣମୂଳସ୍ତରରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରିବେ  । ସମସ୍ତ ଦଳୀୟ ନେତାଙ୍କୁ ନେଇ ସଙ୍ଗଠନକୁ ମଜବୁତ୍ କରାଯିବ । ସୂଚନାଯୋଗ୍ୟ ଯେ, କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ଜିଲ୍ଲାରେ ସବୁବେଳେ ମନୋହର ଚର୍ଚ୍ଚାରେ ରହିଆସୁଛନ୍ତି । ସେ ଲଗାତାର ଭାବେ ୪ଥର ବିଧାୟକ ହୋଇଛନ୍ତି । ୨୦୦୯ ଓ ୨୦୧୪ରେ ନବରଙ୍ଗପୁରରୁ ମନୋହର ୨ ଥରର ବିଧାୟକ ହେବା ପରେ ପୁଣି ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ୨୦୧୯ ଓ ୨୦୨୪ରେ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସେ ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅଛନ୍ତି । ଜିଲ୍ଲାରେ ୨୦୧୯ ନିର୍ବାଚନରେ ୪ଟି ବିଧାନସଭା ଆସନରୁ ବିଜେଡି ୩ଟି ଆସନ ସମେତ ନବରଙ୍ଗପୁର ଲୋକସଭା ଆସନକୁ ହାତେଇଥିଲା । ସାଂସଦ ଆସନ ସମେତ ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁ ୩ଟି ବିଧାନସଭା ଆସନ ବିଜେଡି ଦଖଲରେ ରହିଥିଲା । ୨୦୨୪. ନିର୍ବାଚନରେ ଓଡିଶାରେ ମୋଦିଙ୍କ ସୁନାମୀରେ ନବରଙ୍ଗପୁର ଲୋକସଭା, ଝରିଗାଁ, ନବରଙ୍ଗପୁର ବିଧାନସଭାରୁ ବିଜେଡି ପୋଛି ହୋଇଯାଇଥିଲା । କେବଳ ଡାବୁଗାଁ ଆସନରୁ ମନୋହର ବିଜୟୀ ହୋଇଥିଲେ  । ଅଭିଜ୍ଞତା ଆଧାରରେ ତାଙ୍କୁ ଦଳ ଜିଲ୍ଲା ସଭାପତି ଭାବେ ଚୟନ କରିଥିବା ବରିଷ୍ଠ ନେତା ରବି ପଟ୍ଟନାୟକ ଓ ସୁଶାନ୍ତ କୁମାର ବେହେରା କହିଛନ୍ତି ।